ରାଜସ୍ଥାନରେ ଶେଷ ହୋଇପାରେ ରାଜେଙ୍କ ରାଜ୍ । ପୁଣି ୫ ବର୍ଷ ପାଇଁ ବସୁନ୍ଧରା ଯାଇପାରନ୍ତି ବନବାସ

ବିଜେପିଠାରୁ ବହୁ ଆଗରେ କଂଗ୍ରେସ

82

କନକ ବ୍ୟୁରୋ: ରାଜସ୍ଥାନରେ ଶେଷ ହୋଇପାରେ ବସୁନ୍ଧରା ରାଜେଙ୍କ ଶାସନ । ପୁଣି ୫ ବର୍ଷ ପାଇଁ ବନବାସରେ ଯାଇପାରନ୍ତି ବସୁନ୍ଧରା । ୨୦୦ ଆସନବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନର ୧୧୯ଟି ଆସନର ଭୋଟ୍ ଗଣତି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ଆରମ୍ଭ ହୋଇଛି। କଂଗ୍ରେସ ୯୦ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୬୦ଟି ଆସନରେ ଆଗୁଆ ରହିଛି।

ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବାରୁ ସମ୍ପୃକ୍ତ ଆସନରେ ନିର୍ବାଚନ ବାତିଲ କରାଯାଇଥିଲା। ଏଥର ବିଧାନସଭା ନିର୍ବାଚନରେ ରାଜସ୍ଥାନ ୭୪. ୨୧% ମତଦାନ ରେକର୍ଡ କରାଯାଇଛି। ଅବଶ୍ୟ ଏହା ଗତ ୨୦୧୩ ବିଧାନସଭା ନିର୍ବାଚନ ଠାରୁ ୧. ୦୨% କମ୍। ରାଜ୍ୟରେ କ୍ଷମତା ହାସଲ ନିମନ୍ତେ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ଯୋର୍ଦାର୍ ପ୍ରଚାର ଅଭିଯାନ ଚଳାଇଥିଲେ।

ଜୟପୁର ଓ ରାଜସ୍ଥାନରେ ଦୁଇଟି ଲେଖାଏଁ କେନ୍ଦ୍ର ସମେତ ସମଗ୍ର ରାଜ୍ୟରେ ୩୫ କେନ୍ଦ୍ରରେ ଭୋଟ୍ ଗଣତି ଚାଲିଛି।ଡିସେମ୍ବର ୭ ତାରିଖରେ ଗୋଟିଏ ପର‌୍ୟ୍ୟାରେ ଅନୁଷ୍ଠିତ ମତଦାନ ଗଣତି ପାଇଁ ରାଜ୍ୟରେ ପ୍ରାୟ ୨୦, ୦୦୦ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ମଧ୍ୟପ୍ରଦେଶରେ କଂଗ୍ରେସ ଆଗରେ

ଆଜି ସକାଳ ୮ଟାରୁ  ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରଥମେ  ପୋଷ୍ଟାଲ ବାଲଟ ପେପର ଖୋଲାଯାଇ ଏହାର ଗଣନା କରାଯାଇଛି।   ତେବେ ଯେଉଁ ବୁଥର ମକ୍‌ ପୋଲିଂ ଠିକ୍‌ ଭାବ ହୋଇ ପାରି ନ ଥିଲା ସେସବୁ ବୁଥରେ ଇଭିଏମ ମେସିନଗୁଡ଼ିକୁ ଶେଷରେ ଗଣାପାଇଁ ରଖାଯାଇଛି ଓ ସେ କ୍ଷେତ୍ରରେ ଭିଭିପିଏଟି ସ୍ଲିପ୍‌ରେ ଗେଣନା କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ  ଭିଏଲ କାନ୍ତ ରାଓ କହିଛନ୍ତି। ମଧ୍ୟପ୍ରଦେଶରେ ବିଜେପିଠାରୁ  ଆଗରେ ରହିଛି କଂଗ୍ରେସ ।  ୮୯ଟିି ବିଧାନସଭା ଆସନର ପ୍ରାଥମିକ ଗଣନା ଅନୁଯାୟୀ, ବିଜେପି ୪୨ଟିରେ ଓ କଂଗ୍ରେସ ୪୭ଟିରେ ଆଗୁଆ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ୨ହଜାର ୯ଶହ ୭ ଜଣ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନ ରଣାଙ୍ଗନରେ ପରସ୍ପରକୁ ଭେଟୁଛନ୍ତି। ତେବେ ଗତ ନିର୍ବାଚନ ଅ୍ରପେକ୍ଷା ଏଥର ଅଧିକ ପ୍ରତିଶତ ଲୋକ ଭୋଟ୍ ଦେଇଛନ୍ତି। ୨୦୧୩ ନିର୍ବାଚନରେ ୭୩ ପ୍ରତିଶତ ଭୋଟ୍ ପୁଲିଂ ହୋଇଥିଲା। ମାତ୍ର ୨୦୧୮ରେ ୭୫.୦୫ ପ୍ରତିଶତ ଭୋଟ୍ ପୁଲିଂ ହୋଇଛି।

ପ୍ରତି ଭୋଟ୍ ଗଣନା କେନ୍ଦ୍ରରେ ୧୪ଟି ଟେବୁଲ କରାଯାଇଛି। ସେହିପରି ୨୨ ରାଉଣ୍ଡ ଭୋଟ୍ ଗଣତି ଦ୍ୱାରା ବିଜେତା ସ୍ଥିର ହେବା ପାଇଁ ବ୍ୟବସ୍ଥା କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଉଭୟ ଦଳ ସେମାନଙ୍କ ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ନେତୃତ୍ୱରେ ମଧ୍ୟ ପ୍ରଦେଶରେ ନିର୍ବାଚନ ଲଢ଼ିଥିବା ବେଳେ କଂଗ୍ରେସ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲନାଥଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ନିର୍ବାଚନ ଲଢ଼ୁଥିଲେ।