ରାହୁଲଙ୍କ ମେଂଟ ରଣନୀତି ! ଓଡିଶାରେ ଛୋଟଛୋଟ ଦଳଙ୍କ ସହ ଆଲୋଚନା କରୁଛି ପ୍ରଦେଶ କଂଗ୍ରେସ, ଫୋକସରେ ଗତ ନିର୍ବାଚନ ।

36

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ମୋଦି ବିରୋଧୀଙ୍କ ସହ ମେଂଟ କରିବ କଂଗ୍ରେସ । କେଉଁଠି କେଉଁ ଦଳ ସହ ମେଂଟ ହେବ ସେ ନେଇ ନିଷ୍ପତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦିଲ୍ଲୀରେ କଂଗ୍ରେସ ପରିବର୍ଦ୍ଧିିତ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତି ପରେ ରାଜ୍ୟ କଂଗ୍ରେସ ଆରମ୍ଭ କରିଦେଇଛି ରଣନୀତି । ରାଜ୍ୟରେ ଯେଉଁଠି କମ୍ ଭୋଟ୍ ବ୍ୟବଧାନରେ ଦଳ ହାରିଥିଲା, ଦଳ ସେହି ସ୍ଥାନରେ ଅନ୍ୟ ଛୋଟ ଦଳ ସହ ମେଂଟ କରିବ । ଅନ୍ୟପଟେ ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଶେଷ ସୁଧା ଉଭୟ ଲୋକସଭା ଓ ବିଧାନସଭା ଟିକେଟ୍ ଘୋଷଣା କରିବ କଂଗ୍ରେସ ।

ମୋଦି ବିରୋଧୀଙ୍କୁ ଏକାଠି କରି ୨୦୧୯ ସାଧାରଣ ନିର୍ବାଚନକୁ ଓହ୍ଲାଇବାକୁ ଚାହୁଁଛି କଂଗ୍ରେସ । ରବିବାର ଦିଲ୍ଲୀରେ କଂଗ୍ରେସ  ପରିବର୍ଦ୍ଧିିତ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତି ହୋଇଛି । କିନ୍ତୁ କେଉଁଠି କେଉଁ ଦଳ ସହ ମେଂଟ ହେବ ସେ ନେଇ ନିଷ୍ପତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ  । ଆବଶ୍ୟକ ପଡିଲେ ନିର୍ବାଚନ ପୂର୍ବବର୍ତି ମେଂଟ ହେବ କିମ୍ବା କର୍ଣ୍ଣଟକ ଫର୍ମୁଲା ଆପଣାଇବ ଦଳ ସେ ନେଇ ମଧ୍ୟ ରାହୁଲ ଗାନ୍ଧି ଚୂଡାନ୍ତ ନିଷ୍ପତି ନେବେ । ଆଉ ରାହୁଲଙ୍କ ମେଂଟ ରାଜନୀତି ନେଇ ସବୁଜ ସଂକେତ ପାଇବା ପରେ ରାଜ୍ୟ କଂଗ୍ରେସ ମଧ୍ୟ ବର୍ତମାନର ସ୍ଥିତିିକୁ ଦୃଷ୍ଟିରେ ରଖି କାହାସହ ମେଂଟ କରିବ ସେ ନେଇ ଆରମ୍ଭ କରିଦେଇଛି ଗୋଟିଚାଳନା ।

ଓଡିଶାରେ ଉଭୟ ବିଜେଡି ଓ ବିଜେପିକୁ ଟକ୍କର ଦେବ କଂଗ୍ରେସ । ତେଣୁ ଏ ଦୁଇ ପ୍ରମୁଖ ଦଳଠାରୁ ଦୂରେଇ ରହି ଆଉ କେଉଁମାନଙ୍କୁ ସାଙ୍ଗରେ ନେଇ ନିର୍ବାଚନକୁ ଓହ୍ଲାଇବ ସେନେଇ ଆଲୋଚନା ଆରମ୍ଭ କରିଦେଇଛି ଦଳ । ଏଥିସହ ଗତ ନିର୍ବାଚନରେ ଯେଉଁ ସ୍ଥାନରେ କମ୍ ଭୋଟ୍ ବ୍ୟବଧାନରେ ହାରିଥିଲା କଂଗ୍ରେସ ସେହି ସ୍ଥାନରେ ସିପିଆଇ, ସିପିଏମ୍, ଜେଏମଏମ୍ ଭଳି କିଛି ଛୋଟ ଛୋଟ ଦଳ ସହ ମିଶି ଗଠବନ୍ଧନ କରି ନିର୍ବାଚନ ଲଢିବ ବୋଲି କଂଗ୍ରେସ କହିଛି । କଂଗ୍ରେସର ଏହି ମେଂଟ ରଣନୀତି କିନ୍ତୁ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦାବି କରିଛନ୍ତି ଉଭୟ ବିଜେଡି ଓ ବିଜେପି ।

ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ୍ ବାଣ୍ଟିବାର ଯୋଜନା  କରିଛି କଂଗ୍ରେସ । ସେପ୍ଟେମ୍ବର ଶେଷ ସୁଧା ମୋଟ ତିନିଟି ପର୍ଯ୍ୟାୟରେ ଉଭୟ  ଲୋକସଭା ଓ ବିଧାନସଭା ଟିକେଟ୍ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ପାଂଚଟି ସାଂସଦ ଓ ୪୦ ପାଖାପାଖି ବିଧାୟକ ସିଟର ଘୋଷଣା କରିବ । ଏହା ସହ ଭଲ ସ୍ଥିତି ବଜାୟ ରଖିଥିବା  କିଛି ଜିଲ୍ଲା ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ନବରଂଗପୁର, କନ୍ଧମାଳ, ଭନ୍ଦ୍ରକ, ପୁରୀ, କୋରାପୁଟ, ସୁନ୍ଦରଗଡ ଆଦି ପ୍ରଥମ ପର୍ଯ୍ୟାୟରେ ଫୋକସରେ ରହିବ  ।