ଶ୍ରୀକାନ୍ତଙ୍କ ବିରୋଧରେ ବର୍ଷିଲେ କଂଗ୍ରେସ ନେତା ! ବିଶୃଙ୍ଖଳା ପାଇଁ ଚରମ ପଦକ୍ଷେପ ନେବାକୁ ବାଢିଲେ ଯୁକ୍ତି ।

176

କନକ ବ୍ୟୁରୋ : କଂଗ୍ରେସରେ ଧୀରେ ଧୀରେ ଅଲୋଡ଼ା ହୋଇ ପଡୁଛନ୍ତି ଶ୍ରୀକାନ୍ତ ଜେନା । ବାରମ୍ବାର ଦଳରେ ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦଳ ଭିତରେ ସ୍ୱର ତେଜିବାରେ ଲାଗିଛି । ସେପଟେ ଇସ୍ତାହାର କମିଟିରୁ ବାଦ ପଡିବା ପରେ ବି ଶ୍ରୀକାନ୍ତ ନରମ ପଡିବା ପରିବର୍ତେ ଦଳକୁ ଚ୍ୟାଲେଂଜ ଦେବାକୁ ଅଂଟା ଭିଡିଛନ୍ତି । ଆଉ ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିବାରେ ଲାଗିଛି ।

ଶ୍ରୀକାନ୍ତଙ୍କ ବିରୋଧରେ ଚରମ ପଦକ୍ଷେପ ନେବାକୁ ଦଳ ଭିତରେ ତୀବ୍ର ହେଉଛି ସ୍ୱର । ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୁକ୍ତି ବାଢିଛନ୍ତି ବରିଷ୍ଠ ନେତା । ସେପଟେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଗଣେଶ୍ୱର ବେହେରାଙ୍କ ପରି ଜଣେ ଦଳିତ ନେତାଙ୍କୁ ଇସ୍ତାହାର ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇଥିବାରୁ ତାକୁ ସ୍ୱାଗତ କରିଛନ୍ତି ନିରଂଜନ ।

ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ କୃଷ୍ଣ ସଗରିଆଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ । ଦୁଇ ନେତାଙ୍କୁ ଇସାରା ଦେଇ ସେ କହିଛନ୍ତି, ଦଳରେ ବିଶୃଙ୍ଖଳା ସୃଷ୍ଟି କଲେ କାରଣ ଦର୍ଶାଅ ନୋଟିସ୍ ଠାରୁ ନିଲମ୍ବନ ଓ ବହିଷ୍କାର ପର୍ଯ୍ୟନ୍ତ ପ୍ରାବଧାନ ରହିଛି ।

ଇସ୍ତାହାର କମିଟିରୁ ବିଦା ହେବା ପରେ ଶ୍ରୀକାନ୍ତ ଜେନା ଧୀରେ ଧୀରେ ଦଳ ପାଇଁ ଅଲୋଡା ହୋଇପଡିଛନ୍ତି । ରାହୁଲଙ୍କ ଛାଟ ବାଜିବା ପରେ ତାଙ୍କ ସ୍ୱର ନରମ ହେବା ପରିବର୍ତ୍ତେ ଚ୍ୟାଲେଂଜ ମୁଡକୁ ଚାଲିଆସିଛନ୍ତି ଶ୍ରୀକାନ୍ତ । ଦଳ ଭିତରେ ଥାଇ ଦଳକୁ ଅଡୁଆରେ ପକାଇବାକୁ ଶ୍ରୀକାନ୍ତ ବାରମ୍ବାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ପିସିସି ପୁନର୍ଗଠନ ହେବା ପରେ ପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦ ସୃଷ୍ଟି କରିଥିଲେ । ଶ୍ରୀକାନ୍ତଙ୍କ ଛତ୍ର୍ରଛାୟା ତଳେ ରହି ବିରୋଧୀ ଦଳ ନେତାଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କୃଷ୍ଣ ସଗରିଆ । ଏହାପରେ ପିସିସି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ପଡିଛନ୍ତି ଶ୍ରୀକାନ୍ତ । ତାଙ୍କ ବିରୋଧରେ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।