ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ଗରମ ! ଆଜି ଗୃହରେ ପୁଣିଥରେ ହଙ୍ଗମା କରି ପାରନ୍ତି ବିରୋଧୀ

18

କନକ ବ୍ୟୁରୋ : ବିଧାନସଭା ଶୀତକାଳୀନ ଅଧିବେଶନ ଉପରେ ସମସ୍ତଙ୍କ ନଜର । ଗତକାଲି ଗୃହ ଆରମ୍ଭ ହେଉ ହେଉ ଦେଖାଦେଇଥିଲା ତାତି । ଗତକାଲି ଏହାକୁ ନେଇ ହୋହଲ୍ଲା ଜାରି ରହିବା ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଗୃହରେ ଆଜି ବିରୋଧୀ ପୁଣି ଉଠାଇପାରନ୍ତି ଚାଷ ଓ ଚାଷୀ ପ୍ରସଙ୍ଗ । ବିରୋଧୀ ଗୃହରେ ଧାନ କେଣ୍ଡା ଓ ପୋଷ୍ଟର ପ୍ରଦର୍ଶନ ଜାରି ରଖିଥିବାବେଳେ ଅନ୍ୟପଟେ ଶାସକ ଦଳ ମଧ୍ୟ କେନ୍ଦ୍ର ବିରୋଧୀ ନାରା ଦେଇଥିଲା । ଏହାକୁ ନେଇ ଶାସକ ଓ ବିରୋଧୀ ଧଳ ମୁହାଁମୁହିଁ ହୋଇଥିଲେ ।

ଗୋଟିଏ ପଟେ ବିରୋଧୀ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଅନ୍ୟପଟେ ଶାସକ ବିଜେଡି ମଧ୍ୟ ଆଟାକିଙ୍ଗ ମୁଡରେ ରହିଛି ।ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏସବୁ ଭିତରେ ଆଜି ବିଧାନସଭାରେ ବିରୋଧୀ ଓ ଶାସକ ଦଳର ଆଭିମୁଖ୍ୟ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।