‘କାଳିଆ’ ପାଇଁ ଜେରକ୍ସ ଫର୍ମରେ କରିହେବ ଆବେଦନ । ଫର୍ମରେ କଳାବଜାରୀ କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ଇଚ୍ଛୁକ ସମସ୍ତ ବ୍ୟକ୍ତି ଏହି ଯୋଜନାରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ । ଏମିତି କି ତାଲିକାରେ ନଥିବା ବ୍ୟକ୍ତି ଭୟବିତ ନହେବାକୁ ପରାମର୍ଶ ଦେଇଛନ୍ତି ।

269

କନକ ବ୍ୟୁରୋ: କାଳିଆ ଯୋଜନାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଆଜି ଦୂର କରିବାକୁ ଚେଷ୍ଟା କରିଛନ୍ତି କୃଷି ସଚିବ ସୌରଭ ଗର୍ଗ । ଇଚ୍ଛୁକ ସମସ୍ତ ବ୍ୟକ୍ତି ଏହି ଯୋଜନାରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ । ଏମିତି କି ତାଲିକାରେ ନଥିବା ବ୍ୟକ୍ତି ଭୟବିତ ନହେବାକୁ ପରାମର୍ଶ ଦେଇଛନ୍ତି । ଆଉ ଯେଉଁମାନେ କାଳିଆ ଯୋଜନାକୁ ନେଇ କଳାବଜାରୀ କରିବାକୁ ଉଦ୍ୟମ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସୌରଭ ଗର୍ଗ ।
କାଳିଆ ଯୋଜନାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଥିବା ଅଭାବନୀୟ ଘଟଣା
ଭିତରେ କୃଷିସଚିବଙ୍କ ଏହି ସ୍ପଷ୍ଟିକରଣ, ଆଶାୟୀ ହିତାଧିକାରୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତିର ବାର୍ତା ହୋଇ ସାମ୍ନାକୁ ଆସିଛି । କାରଣ–

-ଯେଉଁମାନେ ଚାହିଁବେ କାଳିଆ ଯୋଜନାରେ ଆବେଦନ କରିପାରିବେ
-ସବୁଜ ଫର୍ମ ଉପଲବ୍ଧ ନଥିଲେ ଫର୍ମକୁ ଜେରକ୍ସ କରି ଆବେଦନ କରିପାରିବେ
-ତାଲିକାରେ ନାଁ ନଥିଲେ ପୁଣି ଆବେଦନ କରିବାର ବ୍ୟବସ୍ଥା ରହିଛି
-ଏଥର ଆବେଦନ କରିନପାରିଲେ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ କରିପାରିବେ

ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ଏହି କାଳିଆ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଆବେଦନ ତାରିଖକୁ ୧୫ଯାଏଁ ଘୁଂଚାଇ୍ଛନ୍ତି । ହେଲେ କୃଷି ସଚିବଙ୍କ ଏହି ଆଶ୍ୱସ୍ତବାଣୀ ଭିତରେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ, କାଳିଆ ଯୋଜନାରେ ଆବେଦନ ପାଇଁ ଅଭାବନୀୟ ଘଟଣା ସବୁ ଦେଖିବାକୁ ମିଳିଛି । କେଉଁଠି ଫର୍ମ ନ ମିିଳିବାରୁ ପଂଚାୟତ ଅଫିସରରେ ତାଲା ଝୁଲିଛି ତ’ କେଉଁଠି ଲୋକଙ୍କୁ ଠକିବା ପାଇଁ ଖସଡ଼ା ପ୍ରସ୍ତୁତ କରି ବସିଛନ୍ତି କିଛି ଖଳ ପ୍ରକୃତିର ଲୋକ । ଆଉ ଏହି ଅବ୍ୟବସ୍ଥାକୁ ଅସ୍ତ୍ର କରି ସରକାରଙ୍କୁ ଘେରିଛି ବିରୋଧୀ ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଲୋକଙ୍କ ଭିତରେ କାଳିଆ ଯୋଜନାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଏପଟେ, ଯେମିତି କୌଣସି ହିତାଧିକାରୀ ଯୋଜନାରୁ ବଂଚିତ ନରହିବେ, ସେଥି ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।