ଚୌକି ଗୋଟିଏ, ଆଶାୟୀ ୭ । ରାଜ୍ୟ କଂଗ୍ରେସ ଯୁବ ସଭାପତି ପଦ ପାଇଁ ଆରମ୍ଭ ହେଲା ଟଣାଓଟରା, ଏଆଇସିସି ପ୍ରତିନିଧିଙ୍କ ଆଗରେ ଶକ୍ତି ପ୍ରଦର୍ଶନ କଲେ ଆଶାୟୀ ପ୍ରାର୍ଥୀ

315

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ପାଇଁ ଅଡୁଆ ହୋଇଛି ଗୋଷ୍ଠୀ କନ୍ଦଳ । ଜଟଣୀ ବିଧାୟକ ଖୋଲାଖୋଲି ଅଭିଯୋଗ କରିଛନ୍ତି, କଂଗ୍ରେସର କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ଖାଲି ଏତିକି ନୁହେଁ ପିସିସି ସଭାପତିଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟ ସାମନାକୁ ଆସି ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଆଉ ଏସବୁ ଭିତରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଆରମ୍ଭ ହୋଇଯାଇଛି ପାୱାର ସୋ ।

ପଦ ୧ । ଆଶାୟୀ ୭ । ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ, ଏବେ ପ୍ରାଥମିକ ଭାବେ ଯୁବ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ଯୁବ କଂଗ୍ରସ ସଭାପତି ପଦ ପାଇଁ ରେସରେ ଅଛନ୍ତି ୭ଜଣ । ଏମାନେ ହେଲେ ଲୋକନାଥ ମହାରଥୀ , ଅଭିଳାଷ ମାଣିଆ , ନିରଂଜନ ନାୟକ , ମନୋଜ ବିଶ୍ୱାଳ, ରାଜୀବ ପଟ୍ଟନାୟକ ଓ ଅନ୍ୟ ୨ଜଣ । ଆଉ ଏହି ପଦ ହାତେଇବା ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ ନାଁରେ ଜୋରଦାର ନାରାବାଜି କରି ଏଆଇସିସି ପ୍ରତିନିଧିଙ୍କ ଆଗରେ କରିଥିଲେ ପାୱାର ସୋ ।

୨୦୧୯ ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସଂଗଠନକୁ ତୃଣମୂଳ ସ୍ତରରୁ ସଜାଡିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କିନ୍ତୁ ଦେଖିବାକୁ ମିଳିଛି, କଂଗ୍ରେସର ସେହି ପୁରୁଣା ଗୋଡଟଣା ନୀତି । ଆରମ୍ଭରୁ ହିଁ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଗୋଷ୍ଠୀ ବିବାଦ । କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତ୍ୃତ୍ୱ ମଧ୍ୟରେ ସମନ୍ୱୟ ରହୁନଥିବା ସିଧା ସିଧା ଅଭିଯୋଗ ଆଣିଛନ୍ତି ଜଟଣୀ ବିଧାୟକ । ଯାହା କଂଗ୍ରେସର ଭିତିରି କନ୍ଦଳକୁ ପଦାରେ ପକାଇଛି ।

ଆଉ ଏହାରି ଭିତରେ ପିସିସି ସଭାପତିଙ୍କ ବିରୋଧୀ ଗୋଷ୍ଠୀ ମୁଣ୍ଡ ଟେକିଛନ୍ତି । ଖୋଲାଖୋଲି ପିସିସି ପରବର୍ତନ କଥା କହିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରାବାଜି ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ୪ ଦିନିଆ ଓଡିଶା ଗସ୍ତରେ ଆସି ପଶ୍ଚିମ ଓଡିଶା ବୁଲିବା ସହ ସଂଗଠନ ସଜାଡିବା ପାଇଁ ଗ୍ରାଉଣ୍ଡରେ ନେତାଙ୍କ ସହ ଆଲୋଚନା କରୁଛନ୍ତି । ଏହା ସହ ପିସିସି ପକ୍ଷରୁ ନୂଆ ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ପାଇଁ ଏଆଇସିସିକୁ ତାଲିକା ଦିଆଯାଇଛି । କଂଗ୍ରେସ ଗୋଷ୍ଠୀ ବିବାଦର ସମାଧାନ ପାଇଁ କଂଗ୍ରେସ ପ୍ରଭାରୀ ଓଡିଶାରେ ଡେରା ପକାଇଛନ୍ତି । ଖୁବଶୀଘ୍ର ସାଙ୍ଗଠନିକ ସ୍ତରରେ ପରିବର୍ତନ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।