ସୁରବାବାଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ ! ଅନ୍ଧାର କୋଠରୀ ଭିତରେ ଯୁବତୀଙ୍କୁ କରିଛନ୍ତି ଅସଦାଚରଣ ।

331

କନକ ବ୍ୟୁରୋ : ଜେଲରୁ ବାହାରିବା ପରେ ସୁରବାବାଙ୍କ ବଢିଲା ଅଡୁଆ । ଝିଂଟି ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ରଙ୍କ ନାଁରେ ପୁଣି ଆସିଛି ଅସଦାଚରଣ ଅଭିଯୋଗ । ଯୁବତୀଙ୍କୁ  ବନ୍ଦ ଘରେ ଅସଦାଚରଣ କରିବା ଅଭିଯୋଗରେ ସୁରବାବାଙ୍କ ନାଁରେ ବାଲିପାଟଣା ଥାନାରେ ମାମଲା ରୁଜୁ ହୋଇଛି ।  ଅଭିଯୋଗ ଅନୁସାରେ, ଗଞ୍ଜାମ ବେଲଗୁଣ୍ଠା ଅଂଚଳର ଜଣେ ଯୁବତୀଙ୍କ ବାଲିପାଟଣା ଥାନା ତ୍ରାହିଅଚ୍ୟୁତ ନଗରର ବାସିନ୍ଦା ଜଣେ ଯୁବକଙ୍କ ସହିତ ବିବାହ ପ୍ରସ୍ତାବ ପଡିଥିଲା । 

ସଂପୃକ୍ତ ଯୁବତୀଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଥିବାରୁ ଓ ମା ଅସୁସ୍ଥ ଥିବାରୁ ଯୁବକଜଣକ ତାଙ୍କୁ ତ୍ରାହିଅଚ୍ୟୁତ ନଗରର ଭଡା ଘରେ ରଖିଥିଲେ । ରିଷ୍ଟ ଖଣ୍ଡନ ପାଇଁ ଗତମାସ ୨୪ ତାରିଖରେ ଯୁବତୀଜଣକ ତ୍ରାହିଅଚ୍ୟୁତ ଆଶ୍ରମକୁ ଯାଇଥିଲେ । ସେଠାରେ ଏକ ଅନ୍ଧାର କୋଠରି ଭିତରେ ସୁରବାବା ବସିଥିଲେ । ଏହି ଘରେ ସୁରବାବା ଯୁବତୀଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ୨ ଘଂଟା ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଏ ନେଇ ଏତଲା ଦେବାକୁ ଯିବାରୁ ସୁରବାବା ତାଙ୍କୁ  ଜୀବନରୁ ମାରିଦେବାକୁ  ଧମକ ଦେବା ସହ  ମାଡ ମାରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଅନିୟମିତତା ମାମଲାରେ  ସୁରବାବା ଜେଲରେ ଥିଲେ । ନିକଟରେ ସେ ବେଲରେ ଆସିଥିଲେ । ତେବେ ସୁରବାବାଙ୍କ ବିରୋଧରେ ଏଭଳି ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୋଲିସ । ଝିଣ୍ଟି ସ୍ଥିତ ଆଶ୍ରମରେ ଖୋଳତାଡ କରୁଛି ପୋଲିସ ।