ବିଦ୍ୟୁତ୍ ତାର ଲାଗି ହେଲେ ମୃତ୍ୟୁ ହେଲେ ସରକାର ଦେବେ ଆର୍ଥିକ ସହାୟତା । ମୃତକଙ୍କ ପାଇଁ ୪ ଲକ୍ଷ, ଗାଈ ଓ ମଇଁଷି ମଲେ ୩୦ ହଜାର ଟଙ୍କା ଦେବେ ସରକାର ।

573

କନକ ବ୍ୟୁରୋ  : ବିଦ୍ୟୁତ ତାର ଲାଗି ମୃତ୍ୟୁ ହେଲେ ସରକାର ଦେବେ ସହାୟତା ରାଶି । ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଏନେଇ ସ୍ପଷ୍ଟ କରିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କେବଳ ମୃତ୍ୟୁ ନୁହେଁ ବରଂ ବିଦ୍ୟୁତ ତାର ଲାଗି ଆହତ ହେଲେ ମଧ୍ୟ ସହାୟତା ରାଶି ସରକାରଙ୍କ ପକ୍ଷରୁ ଦିଆଯିବ ।

ବିଦ୍ୟୁତ୍ ତାର ଲାଗି କୌଣସି ବ୍ୟକ୍ତିଙ୍କ ଜୀବନ ଗଲେ ୪ ଲକ୍ଷ ଟଙ୍କା, ୬୦ ପ୍ରତିଶତ ଶରୀର ଜଳି ନଷ୍ଟ ହୋଇଥିଲେ ୨ ଲକ୍ଷ ଟଙ୍କା, ୪୦ରୁ ୬୦ ପ୍ରତିଶତ ଜଳିଥିଲେ ୫୯ ହଜାର ୧୦୦ ଟଙ୍କା ମିଳିବ କ୍ଷତିପୂରଣ । ସେହିଭଳି ସପ୍ତାହରୁ ଅଧିକ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ ୧୨,୭୦୦ ଓ ସପ୍ତାହରୁ କମ ସମୟ ଧରି ଚିକିତ୍ସିତ ହେଉଥିଲେ ୪୩୦୦ ଟଙ୍କା ସହାୟତା ରାଶି ସରକାରଙ୍କ ପକ୍ଷରୁ ଦିଆଯିବ ।

କେବଳ ମଣିଷ ନୁହେଁ ବରଂ ଯଦି ବିଦ୍ୟୁତ ଆଘାତରେ କୌଣସି ପଶୁପକ୍ଷୀ ମରିଥାନ୍ତି ସେଥିପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ସହାୟତା ଦିଆଯିବ । ଗାଈ ଓ ମଇଁଷି ମଲେ ୩୦ ହଜାର, ଛେଳି, ମେଣ୍ଢା, ଘୁଷୁରି ମଲେ ୩ ହଜାର ଟଙ୍କା ମିଳିବ । ଯଦି ବିଦ୍ୟୁତ ଦୁର୍ଘଟଣା କାରଣରୁ କୌଣସି କୁକୁଡା ଫାର୍ମ ନଷ୍ଟ ହୁଏ ତେବେ ୫ ହଜାର କ୍ଷତିପୂରଣ ଦିଆଯିବ । ବିଦ୍ୟୁତ ସଂସ୍ପର୍ଶଜନତି ମୃତ୍ୟୁ ସହାୟତା ନେଇ ରାଜ୍ୟ ସରକାର ବିଦ୍ୟୁତ୍ ନିୟାମକ ଆୟୋଗକୁ ସୁପାରିଶ କରିଛନ୍ତି । ଯାହାକୁ ଖୁବଶୀଘ୍ର ଲାଗୁ କରାଯିବ ।