ଆଧାର ଆକ୍ଟର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ! ଦେବାକୁ ପଡ଼ିପାରେ ୧କୋଟି ଟଙ୍କାର ଜରିମାନା

99

ଆଧାର ଆକ୍ଟର ଉଲ୍ଲଂଘନ କଲେ କମ୍ପାନୀକୁ ଏକ କୋଟି ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ । ଲଗାତାର ଏପରି କରିବା ଦ୍ୱାରା ପ୍ରତିଦିନ ୧୦ ଲକ୍ଷ ଟଙ୍କାର ଅତିରିକ୍ତ ପେନାଲ୍ଟି ମଧ୍ୟ ଦେବାକୁ ପଡ଼ିବ । ଗତକାଲି ଏନେଇ ସୂଚନା ମିଳିଛି । ସରକାର ଏହି ଜରିମାନା ଆଦାୟ ପାଇଁ ପ୍ରସ୍ତାବ ରଖିଛନ୍ତି । ଏଥିପାଇଁ ଆଧାର ଆଇନରେ ସଂଶୋଧନ ଆଣିବା ଯୋଜନା ରଖିଛନ୍ତି । ଆଧାର ଆଇନରେ ସଂଶୋଧନ ଆଣି ସରକାର ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷକୁ ଅନ୍ୟାନ୍ୟ କ୍ଷେତ୍ରର ନିୟାମକ ଭଳି ଅଧିକ କ୍ଷମତା ଦେବାକୁ ବିଚାର କରୁଛନ୍ତି ।

ସୂତ୍ର ଅନୁସାରେ ଆଧାର ଜାରି କରୁଥିବା ସଂସ୍ଥା ୟୁଆଇଡିଏଆଇକୁ ଅଧିକ ଅଧିକାର ଦିଆଯିବ । ଯାହା ଏବେ ୟୁଆଇଡ଼ିଏଆଇ ପାଖରେ ନାହିଁ । ଆଉ ଏହି ନିୟମ ଭାଙ୍ଗିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିପାରିବେ । ନିୟମ ସଂଶୋଧନ ଅନୁସାରେ ଆଧାର ସହ ଜଡ଼ିତ ସୂଚନାରେ ଗୋଳମାନ କରୁଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇାପାରେ । ଏହାସହ ଭର୍ଚୁଆଲ ଆଇଡ଼ି, ଆଧାରର ଅଫଲାଇନ୍ ବ୍ୟବହାରର ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ଆଧାର ଆକ୍ଟ ପ୍ରସ୍ତାବିତ ପରିବର୍ତ୍ତନ ଅନୁସାରେ ନାବାଳକ ଆଧାର କାର୍ଡ଼ ଧାରକଙ୍କୁ ଏକ ପ୍ରକାର ବିକଳ୍ପ ମିଳିବ । ସେମାନେ ୧୮ ବର୍ଷ ପୁରା ହେବା ପରେ ୬ ମାସରେ ଆଧାର ଡାଟାବେସରୁ ନିଜର ତଥ୍ୟ ହଟାଇ ପାରିବେ । ପିଲାଙ୍କ ଆଧାର କାର୍ଡ଼ ତିଆରି କରିବା ପାଇଁ ପରିବାରର ଅନୁମତି ଜରୁରୀ ଦରକାର ହେବ । ଆଧାର ନହେଲେ ମଧ୍ୟ ପିଲାଙ୍କୁ କୌଣସି ପ୍ରକାର ସବସିଡ଼ିରୁ ବଂଚିତ ହେବାକୁ ପଡ଼ିବ ନାହିଁ ।