ଚୀନର ଚିନ୍ତା : ଭାରତ ହୋଇଯିବ ବାଦଶାହ

57

ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି)କୁ ଚୀନ୍ ଗଣମାଧ୍ୟମରେ ପ୍ରଶଂସା କରାଯାଇଛି । ଭାରତକୁ ଗୋଟିଏ ବଜାରରେ ପରିଣତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହା ଦ୍ୱାରା ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’କୁ ଅଧିକ ଶକ୍ତି ମିଳିବ ବୋଲି ଚୀନର ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମସ୍ ଏକ ଲେଖାରେ ଉଲ୍ଲେଖ କରିଛି ।ଏଥିରେ ଲେଖାଯାଇଛି ଯେ ବିଦେଶୀ ସଂସ୍ଥାଗୁଡ଼ିକ ପାଇଁ ଭାରତ ଅଧିକ ଆକର୍ଷଣୀୟ ହୋଇଛି ।

ମାତ୍ର ଜିଏସଟି ସମେତ ଭାରତ ଅନ୍ୟ ଯେଉଁ ସବୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି ତାହା କାର୍ୟ୍ୟକାରୀ କରିବା ସହଜ ନୁହେଁ ବୋଲି ଗ୍ଲୋବାଲ୍ ଟାଇମସ୍ ଜଣାଇଛି । ସୁଲଭ ଉତ୍ପାଦନ ହବ୍ ମାନ୍ୟତା ଚୀନ୍ ହାତରୁ ଖସି ଯାଉଛି । ତେବେ ସେହି ମାନ୍ୟତାକୁ ହାସଲ କରିବା ଭାରତ କିମ୍ବା ବିଶ୍ୱ ପାଇଁ କଷ୍ଟକର ହେବ ବୋଲି ଗ୍ଲୋବାଲ୍ ଟାଇମସ୍ ଜଣାଇଛି ।

ତେବେ ଏହି ଲେଖା ଜରିଆରେ ଚୀନର ଚିନ୍ତା ସ୍ପଷ୍ଟ ବାରି ହୋଇପଡ଼ୁଛି । ଭାରତ ଉତ୍ପାଦନ ଜଗତର ବାଦଶାହ ହୋଇଯିବାର ସମ୍ଭାବନା ଥିବାରୁ ଚୀନ୍ ବେଶ୍ ଚିନ୍ତିତ ହୋଇପଡ଼ିଛି । ଦେଶକୁ ଗୋଟିଏ ବଜାରରେ ପରିଣତ କରିବା ପାଇଁ ଭାରତ ଆକ୍ରମକ ସଂସ୍କାର ଆଣିଛି ଯାହା ଦ୍ୱାରା ବିଦେଶୀ ନିବେଶକଙ୍କ ପାଇଁ ଭାରତ ବେଶ୍ ଆକର୍ଷଣୀୟ ହୋଇପାରିଛି । ମାତ୍ର ଦୁର୍ବଳ ଭିତ୍ତିଭୂମି, ରାଜ୍ୟଗୁଡ଼ିକରେ ନୀତି ନିୟମ ପ୍ରଣୟନରେ ସମସ୍ୟା ଭଳି ଆହ୍ଵାନ ଭାରତରେ ରହିଛି ।

ଜିଏସଟି ଲାଗୁ କରିଥିବାରୁ ଫକ୍ସକନ୍ ଏବଂ ମିଡିଆ ଭଳି ସଂସ୍ଥା ଭାରତରେ ନିବେଶ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ବୋଲି ଗ୍ଲୋବାଲ୍ ଟାଇମ୍ସ ଜଣାଇଛି । ଭାରତର ୩୦ଟି ରାଜ୍ୟରେ ସଂସ୍କାରଗୁଡ଼ିକୁ କାର୍ୟ୍ୟକାରୀ କରିବା ସହଜ ହେବ ନାହିଁ । ଦୁର୍ବଳ ଭିତ୍ତିଭୂମି ଏବଂ ସାଂସ୍କୃତିକ ଜଟିଳତା ଥିବାରୁ ଭାରତ ପାଖରେ ଶସ୍ତା ଶ୍ରମ ଶକ୍ତିର ଯେଉଁ ଲାଭ ରହିଛି ତାହାର ସୁଫଳ ସହଜରେ ହାସଲ କରିହେବ ନାହିଁ ବୋଲି ଏହି ସମ୍ବାଦପତ୍ର ଜଣାଇଛି । ଉଲ୍ଲେଖଯୋଗ୍ୟ, ଅଭିବୃଦ୍ଧି କ୍ଷେତ୍ରରେ ଚୀନକୁ ଭାରତ ପଛରେ ପକାଇ ଦେଇଛି ।