ସହର ଡେଉଁଛି ସାଂପ୍ରଦାୟିକ ନିଆଁ ! ସୋର, ରାଉରକେଲା ପରେ ପଟ୍ଟାମୁଣ୍ଡାଇ ଅଶାନ୍ତ

78

କନକ ବ୍ୟୁରୋ : ଧର୍ମର ଅଫିମ ଖାଇ ମାତାଲ୍ ହୋଇଛି ମଣିଷ । ଭାଇଚାରାକୁ କବର ଦେଇ ସହର ଛାତିରେ ଜଳୁଛି ନିଆଁ । କେଉଁଠି ମାରପିଟ ଆଉ କେଉଁଠି ଭଙ୍ଗାରୁଜା । କେଉଁଠି ଗଣେଷ ମୂର୍ତ୍ତିକୁ ଭଙ୍ଗା ଯାଉଛି ତ କେଉଁଠି ଇଦଗା ପଡିଆରେ ନିଆଁ ଲାଗୁଛି । ସୋରରୁ ଉଠିଥିବା ନିଆଁର ଝୁଲ ରାଉରକେଲା ପରେ ପଟ୍ଟାମୁଣ୍ଡାଇରେ ପଡିଛି ।

balesore riotସୋରର ସ୍ଥିତି ଆପଣଙ୍କ ସାମ୍ନାରେ । ରାତିରେ କର୍ଫ୍ୟୁ , ଦିନରେ ୧୪୪ ଧାରା। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ସାମାନ୍ୟ କଥାକୁ ନେଇ କାଲି ପର୍ଯ୍ୟନ୍ତ ଭାଇ ଭାଇ ହୋଇ ବଂଚୁଥିବା ସହରବାସୀ ଦି ଫାଳ ହୋଇଯାଇଥିଲେ। ଆଉ ପରିସ୍ଥିତି ଅଣାୟତ ହେବା ପରେ ପୁଲିସ୍ ଟାଣିଛି କଟକଣାର ଲକ୍ଷ୍ମଣରେଖା । ତେବେ ଇଦୁଲ୍ ଜୁହାକୁ ଦୃଷ୍ଟିରେ ରଖି ଅପରାହ୍ନ ପର୍ଯ୍ୟନ୍ତ କୋହଳ ଥିଲା ପୁଲିସର କଟକଣା । ସମୁହ ନମାଜ ପାଠର ଅନୁମତି ଥିଲା, ହେଲେ ତାଜିଆ ଶୋଭାଯାତ୍ରାକୁ ବାରଣ କରାଯାଇଥିଲା। ୟା ଭିତରେ ଗୋଷ୍ଠୀ ସଂଘର୍ଷର ସୂତ୍ରଧାର ସାଜିଥିବା ଜଣେ ପରେ ଜଣେ ଭିଲେନକୁ ପୁଲିସ୍ ଗିରଫ କରୁଛି।

vlcsnap-2016-09-13-18h40m40s396ସେପଟେ ରାଉରକେଲାରେ ବି ଅନୁରୂପ ପରିସ୍ଥିତି । ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସହରରେ ବାହାରିଥିଲା ବିରାଟ ଶୋଭାଯାତ୍ରା । ଆଉ ନାଲା ରୋଡ ପାର୍ କରିବା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଧାର୍ମିକ ଗୋଷ୍ଠୀ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଖଣ୍ଡଯୁଦ୍ଧ । ରାତି ଅଧିଆ ପୁଲିସ୍ କରିଥିଲା ଲାଠିଚାର୍ଜ । ରାତିର ନିଆଁ କଳେ ସକାଳ ହେଲେ ହୁତ୍ ହୁତ୍ ହୋଇ ଜଳିବ , ସେହି ଭୟରେ ପୁଲିସ୍ ଜାରି କରିଛି ୧୪୪ ଧାରା । ଉଦିତନଗର ଠାରୁ ଆମ୍ବେଦକର ରୋଡକୁ ପୁଲିସ୍ ନେଇଛି ନିଜ କବଜାକୁ ।ପ୍ରଶାସନର କଟକଣା ଯୋଗୁଁ ଇଦଗା ପଡିଆ ବଦଳରେ ସମଜିଦରେ ସମୂହ ନମାଜ ପାଠ ହୋଇଛି।

vlcsnap-2016-09-13-18h40m19s636ଅନ୍ୟପଟେ କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଗଣେଶ ଓ ଖୁଦୁରୁକୁଣୀ ବିସର୍ଜନ ବେଳେ ମୁହାଁମୁହିଁ ପରିସ୍ଥିତି । କାଳେ ହିଂସାକାଣ୍ଡ ଉଗ୍ରରୂପ ନେବ, ସେହି ଆଶଙ୍କାରେ ମ୍ୟୁନିସିପାଲିଟି ଅଂଚଳରେ ପୁଲିସ୍ ଜାରି କରିଛି ୧୪୪ ଧାରା । ଏହା ସହ ସମ୍ବେଦନଶୀଳ ଜାଗା ଉପରେ ରହିଛି ପୁଲିସର ଫୋକସ୍ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, ସାଂପ୍ରଦାୟିକ ନିଆଁକୁ ସହରରୁ ସହର ଡିଆଁଇବାକୁ ଷଡଯନ୍ତ୍ର ରଚା ଯାଇଛି କି।