ବମ୍ ପଡିଲା, ଆତଙ୍କ ଖେଳିଲା : ଡେଲାଙ୍ଗରେ ଜଳିଲା ସାମ୍ପ୍ରଦାୟିକ ନିଆଁ

29

କନକ ବ୍ୟୁରୋ : ଭିତରେ ଭିତରେ କୁହୁଳୁଥିବା ଅଶାନ୍ତିର ନିଆଁ ଆଜି ଏକ ଭୟଙ୍କର ରୂପ ନେଇ ସାମ୍ନାକୁ ଆସିଛି । ପୁରୀ ଘରୋଡ଼ିଆରେ ସାଂପ୍ରଦାୟିକ ହିଂସାକୁ କେନ୍ଦ୍ରକରି ହୋଇଛି ଘନ ଘନ ବୋମାମାଡ଼ । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା ବି ହୋଇଛି । ପୁଲିସ୍ ଛାଉଁଣୀ ଭିତରେ ପୁରୀ ଜିଲ୍ଲା ଡେଲାଙ୍ଗ ଘରୋଡିଆ ଗାଁ ।

ସ୍ପଷ୍ଟ ଦିବାଲୋକରେ ଘନ ଘନ ବୋମାମାଡ଼ ପରେ ଚାରିପଟୁ ଗାଁକୁ ଘେରି ରହିଛି ପୁଲିସ । ଆଉ ଏହି ସାଂପ୍ରଦାୟିକ ହିଂସା ଏତେ ଭୟଙ୍କର ରୂପ ନେଇଛି ଯେ, ରାସ୍ତା ମଝିରେ ଜଳୁଛି ବାଇକ୍ । ଏଣେତେଣ ବିଛାଡ଼ି ହୋଇପଡ଼ିଛି କାଚଗୁଣ୍ଡ । ହିଂସାକାଣ୍ଡ ପରେ ଏବେ ଗାଁରେ ଡେରା ପକାଇଛନ୍ତି ପ୍ରଶାଶନ ଏବଂ ପୁଲିସ୍ ଅଧିକାରୀ । ଗାଁ ରେ ଚାପା ଉତ୍ତେତେଜନା ।

ପୁଲିସକୁ ଛାଡ଼ି ନାହାଁନ୍ତି ଗାଁ ଲୋକ । ଗାଁରେ ଏବେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ୧୦ ପ୍ଲାଟୁନ୍ ପୁଲିସ୍ ଜଗି ରହିଛନ୍ତି । ସାମାନ୍ୟ ବଚସାକୁ କେନ୍ଦ୍ର କରି ଘରୋଡିଆ ଗାଁରେ ଘଟଛିି ଏତେ ବଡ ହିଂସାକାଣ୍ଡ । ଗତ ୬ ତାରିଖରେ ଛକରେ ଥିବା ଜଣେ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାର ସମାଧାନ ପାଇଁ ଗତକାଲି ଶାନ୍ତି କମିଟିର ବୈଠକ ମଧ୍ୟ ଡକାଯାଇଥିଲା ।

ହେଲେ ଗୋଟିଏ ଗୋଷ୍ଠୀର ଲୋକ ବୈଠକରେ ଯୋଗ ଦେଇନଥିଲେ । ଆଉ ସକାଳ ପାଇଲା ବେଳେକୁ ବୋମାମାଡ଼ର ଶବ୍ଦରେ ଶିହରୀ ଉଠିଥିଲା ପୁରା ଗାଁ । ବର୍ଷ ପୂର୍ବରୁ ଇଦ୍ ସମୟରେ ଏଭଳି ଏକ ହିଂସାକାଣ୍ଡରେ ଜଣଙ୍କ ମୃତ୍ୟୁ ହୋଇଥିଲା । କୁହାଯାଉଛି ସେହିଦିନଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଭିତରେ ଭିତରେ କୁହୁଳି ରହୁଥିଲା ଅଶାନ୍ତିର ନିଆଁ । ଯାହା ଏହି ଘନ ଘନ ବୋମାମାଡ଼ ଏବଂ ହିଂସାର ଉଗ୍ରରୁପ ହୋଇ ସାମ୍ନାରେ ଛିଡ଼ା ହୋଇଛି ।