ସେନାର ଗାଡି ଗଲାବେଳେ ସାଧାରଣ ଗାଡି ଚଳାଚଳ ଉପରେ ଲାଗିଲା ରୋକ୍ ! ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି । 

396

କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ଗାଡି ଗଲାବେଳେ ସାଧାରଣ ଗାଡି ଚଳାଚଳ ଉପରେ ଲାଗିଲା ରୋକ । ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ଜମ୍ମୁକଶ୍ମୀରରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ସେନାର ଗାଡିରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି । ଜାତୀୟ ରାଜପଥରେ ସପ୍ତାହକୁ ଦୁଇ ଦିନ କେବଳ ସେନାର ଗାଡି ଚଳାଚଳ କରିବ । ସେହି ସମୟରେ ଅନ୍ୟାନ୍ୟା ଗାଡି ଚଳାଚଳ ଉପରେ ରୋକ ଲଗାଯାଇଛି । ଯଦି ସେଭଳି କିଛି ପରିସ୍ଥିତି ଉପୁଜେ ତେବେ ଜିଲ୍ଲା ପ୍ରଶାସନ ଓ ପୁଲିସ ମିଳିତ ଭାବରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଗାଇଡ ଲାଇନ ଜାରି କରାଯାଇଛି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ଓ ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତି ନେଇଛନ୍ତି ସରକାର । ପ୍ରତି ସପ୍ତାହରେ ଦୁଇ ଦିନ ସକାଳ ୪ଟାରୁ ୫ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗାଡି ଯିବ । ଏହି ସମୟ ମଧ୍ୟରେ ସାଧାରଣ ଜନତା ଗାଡି ଚଳାଚଳ କରିପାରିବ ନାହିଁ ।

ତେବେ କୌଣସି ଜରୁରୀକାଳିନ ପରିସ୍ଥିତି ଉପୁଜିଲେ ଜିଲ୍ଲା ପ୍ରଶାସନ ଓ ପୁଲିସ ମିଳିତ ଭାବରେ ପଦକ୍ଷେପ ଗ୍ରହଣ କରିବେ ବୋଲି ନିଷ୍ପତି ହୋଇଛି । ମେ’୩୧ ପର୍ଯ୍ୟନ୍ତ ଏହି ନୂଆ ନିୟମ ଲାଗୁ ରହିବ । ବାରାମୁଲ୍ଲାରୁ ଶ୍ରୀନଗର ଏହାପରେ କାଜିଗୁଣ୍ଡ, ବନିହାଲ, ରାମବନ ଓ ଉଧମପୁର ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ ରୋକ ଲାଗିଛି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏନେଇ ନିର୍ଦ୍ଦେଶ ଜାରି କରିଥିଲେ । ଏହାପରେ ମଧ୍ୟ ମାର୍ଚ୍ଚ ୩୦ତାରିଖରେ ସେନାର ଗାଡି ଗୁଡିକ ଯାଉଥିବା ବେଳେ ଆକ୍ରମଣ ଯୋଜନା ହୋଇଥିଲା । ସେହିପରି ଫେବ୍ରୁଆରୀ ୧୪ ତାରିଖରେ ପୁଲୱାମାରେ ସିଆରପିଏଫର ଗାଡି ଗୁଡିକ ଯାଉଥିବା ସମୟରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୪୦ଯବାନ ସହିଦ ହୋଇଥିଲେ ।