କେଉଁ ପରିସ୍ଥିତିରେ ଆପଣଙ୍କ ଗାଡିକୁ ସିଜ୍ କରିପାରିବ ପୋଲିସ? ବିତର୍କ ପରେ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ । ଥରେ ନଜର ପକାଇ ନିଅନ୍ତୁ ।

4,144

କନକ ବ୍ୟୁରୋ : ରାସ୍ତା ମଝିରେ ଗାଡିରୁ ଚାବି ଛଡାଇ ନେଇପାରିବେ କି ପୋଲିସ ଅଧିକାରୀ? ଏଭଳି ଏକ ପ୍ରସଙ୍ଗକୁ ନେଇ ଗତ ଦୁଇଦିନ ହେବ ବିତର୍କ ଲାଗି ରହିଥିବା ବେଳେ ଆଜି କମିଶନରେଟ ପୋଲିସ ଏକ ଆଡଭାଇଜରୀ ଜାରି କରିଛି । ଖାସକରି ଟ୍ରାଫିକ ଯାଞ୍ଚ ଚାଲିଥିବା ବେଳେ ପୋଲିସଙ୍କର କଣ ଅଧିକାର ରହିଛି ସେନେଇ ଆଡଭାଇଜରି ଜାରି କରିଛି କମିଶନରେଟ ପୋଲିସ । ଗାଡି ଜବତ କରିବା ଓ ଚାଳକଙ୍କୁ ଗିରଫ କରିବା ପାଇଁ ଭାରତୀୟ ମୋଟର ଯାନ ଆଇନରେ ଅଧିକୃତ ପୋଲିସ ଅଫିସରଙ୍କୁ ବିଭିନ୍ନ କ୍ଷମତା ଦିଆଯାଇଛି । ଗାଡି ଜବତର ଅର୍ଥ ଗାଡିର ସମସ୍ତ ଯନ୍ତ୍ରପାତି, ସାଜ ସରଞ୍ଜାମ ଏପରିକି ଚାବିକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେବା । ତେବେ କେଉଁ କ୍ଷେତ୍ରରେ ପୋଲିସ ଅଫିସର ଗାଡି ଜବତ କରିପାରିବେ ଓ କେଉଁ କ୍ଷେତ୍ରରେ ଚାଳକଙ୍କୁ ଗିରଫ କରିପାରିବେ ସେନେଇ କମିଶନରେଟ ପୋଲିସ ଜାରି କରିଥିବା ଆଡଭାଇଜରି ଉପରେ ଥରେ ନଜର ପକାନ୍ତୁ ।

– ମୋଟର ଯାନ ନିୟମର ଧାରା ୨୦୭ ଅନୁସାରେ ପୋଲିସ ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ କୌଣସି ମୋଟର ଗାଡିକୁ ଜବତ କରିପାରିବେ । ଯେପରିକି ବିନା ଲାଇସେନ୍ସରେ ଗାଡି ଚଳାଇବା, ନାବାଳକ/ନାବାଳିକା ଗାଡି ଚଳାଇବା, ଗାଡି ପଞ୍ଜୀକୃତ ନ ହୋଇଥିଲେ, ବ୍ୟବସାୟିକ ଗାଡି ବିନା ପରିମଟରେ ଚଲାଉଥିଲେ ଗାଡିକୁ ଜବତ କରାଯାଇପାରିବ ।
– କେତେକ ପରିସ୍ଥିତିରେ ପୋଲିସ ମୋଟର ଚାଳକଙ୍କୁ ବିନା ଜାମିନ ବିହୀନ ପରୱାନାରେ ଗିରଫ କରିପାରିବ । ଯେପରିକି ବିପଦଜନକ ଭାବେ ଗାଡି ଚଲାଉଥିଲେ, ନିଶାସକ୍ତ ଭାବେ ଗାଡି ଚଲାଉଥିଲେ, କୌଣସି ଗାଡି ମାଲିକଙ୍କ ବିନା ସହମତିରେ ଅନ୍ୟତ୍ର ନେଇଗଲେ, ଓଲଟା ଦିଗରେ ଗାଡି ଚଳାଇବା ପାଇଁ ଚାଳକଙ୍କୁ ପୋଲିସ ଗିରଫ କରିପାରିବ ।
– ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିନା ବୀମାରେ ଗାଡି ରାସ୍ତାରେ ଚାଲୁଥିଲେ ତାକୁ ଜବତ କରାଯାଇପାରିବ ।
– କୌଣସି ଗାଡି ଅପରାଧରେ ସମ୍ପୃକ୍ତ ଥିଲେ ସିଆରପିସି ଧାରା ୧୦୦, ୧୦୨ ଓ ୧୬୫ ଅନୁସାରେ ଗାଡି ଜବତ କରାଯାଇପାରିବ ।
– କୌଣସି ଗାଡି ସର୍ବସାଧାରଣ ସ୍ଥାନରେ ଛିଡା ହୋଇଥିଲେ ବା କେହି ଛାଡି ଯାଇଥିଲେ ମୋଟର ଯାନ ଆଇନର ଧାରା ୧୨୬ ଓ ୧୨୭ ବଳରେ ଭିଡା ଯାଇ ଅନ୍ୟତ୍ର ନିଆଯାଇପାରିବ ।
– କେତେକ କ୍ଷେତ୍ରରେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ମୋଟର ଯାନ ଆଇନର ଧାରା ୨୦୬ ଅନୁସାରେ ପୋଲିସ ଅକାମୀ କରିଦେଇପାରିବ ।

କମିଶନରେଟ ପୋଲିସ ପକ୍ଷରୁ ଏଭଳି ଆଡଭାଇଜରି ଜାରି କରାଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ, ପୂର୍ବତନ ପୋଲିସ ଡିଜି ଓ ପୂର୍ବତନ ବିଚାରପତି କିନ୍ତୁ ଭିନ୍ନ ମତ ଦେଇଛନ୍ତି । କେବଳ ମଦ୍ୟପାନ କରି, ମାଲିକଙ୍କ ବିନା ସହମତିରେ ଗାଡି ଅନ୍ୟତ୍ର ନେଲେ ଗାଡିକୁ ଜବତ କରାଯାଇପାରିବ ବୋଲି ଆଇନଜୀବୀ କହିଛନ୍ତି । ସେହିଭଳି ପୂର୍ବତନ ପୋଲିସ ଡିଜି କହିଛନ୍ତି, ଟ୍ରାଫିକ ପୋଲିସ କ୍ଷମତାର ଅପବ୍ୟବହାର କରିବା ଠିକ ନୁହେଁ । ଗୋଟିଏ ପଟେ କମିଶନରେଟ ପୋଲିସ ଆଡଭାଇଜରି ଜାରି କରି ଏହା ପୋଲିସର କ୍ଷମତା ପରିଧି ଭିତରେ ରହିଛି ବୋଲି କହୁଥିବା ବେଳେ ଅନ୍ୟପଟେ ବରିଷ୍ଠ ଆଇନଜୀବୀ ଏବଂ ପୂର୍ବତନ ପୋଲିସ ଡିଜିଙ୍କ ଚାବି ଛଡାଇ ନେବା ପୋଲିସର ଅଧିକାରଭୁକ୍ତ ନୁହେଁ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି ।