ସନ୍ଧ୍ୟା ପରେ ଅଜଣା ଲୋକଙ୍କୁ ଦିଅନ୍ତୁନି ଲିଫ୍ଟ , ପଡିପାରନ୍ତି ହଇରାଣରେ ! କମିସନରେଟ ପୋଲିସ ଜାରି କଲା ଗାଇଡଲାଇନ

55

କନକ ବ୍ୟୁରୋ : ରାସ୍ତାରେ ଯାଉଥିବା ବେଳେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ପଡିପାରେ ମହଙ୍ଗା । ଏଥିପାଇଁ କମିସନରେଟ ପୋଲିସ ତରଫରୁ ଗାଇଡଲାଇନ ଜାରି କରାଯାଇଛି । କମିସନରେଟ ପୋଲିସ ତରଫରୁ କୁହାଯାଇଛି ଯେ, କୌଣସି ଅଜଣା ବ୍ୟକ୍ତିଙ୍କୁ ସନ୍ଧ୍ୟା ପରେ ଲିଫ୍ଟ ଦିଅନ୍ତୁ ନାହିଁ । ନଚେତ ଆପଣ ହଇରାଣରେ ପଡିପାରନ୍ତି ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ସଂଧ୍ୟା ପରେ କୌଣସି ଅଜଣା ବ୍ୟକ୍ତି, ସେ ଯୁବତୀ, ମହିଳା କିମ୍ବା ଯେ କେହି ବି ହୋଇଥାନ୍ତୁ ନା କାହିଁକି ସେମାନଙ୍କୁ ଲିଫ୍ଟ ଦିଅନ୍ତୁ ନାହିଁ। ଯଦି କେହି ଅସୁବିଧାରେ ପଡ଼ିଥାନ୍ତି ବୋଲି ଆପଣ ଅନୁଭବ କରୁଛନ୍ତି, ତୁରନ୍ତ ପୁଲିସ କଟ୍ରୋଂଲ ରୁମ୍ କିମ୍ବା ସ୍ଥାନୀୟ ଥାନାକୁ ଖବର ଦିଅନ୍ତୁ। ପୁଲିସ ପହଂଚି ସମସ୍ୟାର ସମାଧାନ କରିବ। କାରଣ ଲୁଟେରାଙ୍କ ପାଇଁ ଲିଫ୍ଟ ମାଗି ଲୁଟ କରିବା ଏବେ ନୂଆ ତରିକା ପାଲଟିଛି ।

ନିକଟରେ କମିସନରେଟ ପୁଲିସ ଦୁଇ ଦୁଇଟି ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରିଛି। ଏହି ଦୁଇ ଲୁଟେରା ଗ୍ୟାଙ୍ଗ ରାଜଧାନୀରେ ଲିଫ୍ଟ ମାଗିବା ବାହାନାରେ ଲୁଟପାଟ କରିଥିଲେ।
ଗତ ସପ୍ତାହରେ କ୍ୟାପିଟାଲ ଥାନା ପୁଲିସ ୩ ଜଣ ମହିଳା କାଦମ୍ବିନୀ ରାଉତ ଓରଫ୍ ବର୍ଷା, ଚିନ୍ମୟୀ ଜେନା ଓରଫ୍ ଚିନୁ ଓ ବିଦୁଲତା ସ୍ୱାଇଁଙ୍କୁ ଲୁଟପାଟ ଅଭିଯୋଗରେ ଗିରଫ କରିଥିଲା। ମାଷ୍ଟରକ୍ୟାଟିଂନ ଛକରେ ଏହି ତିନି ଜଣ କେନ୍ଦୁଝରରୁ ଆସିଥିବା ଏସୟୁଭି ଚାଳକ ନିରଂଜନ ବେହେରାଙ୍କୁ ଲିଫ୍ଟ ମାଗି ବସିବା ପରେ ତାଙ୍କଠାରୁ ୨୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ସେହିପରି ଖଣ୍ଡଗିରି ଥାନା ପୁଲିସ ଭରତପୁର ଅଂଚଳରୁ ସୁଶାନ୍ତ ମହାନ୍ତି ଓ ଜୀବନ ଜ୍ୟୋତି ସ୍ୱାଇଁ ନାମକ ଦୁଇ ଲୁଟେରାଙ୍କୁ ଗିରଫ କରିଥିଲା। ଅଭିଯୋଗକାରୀ ବାଇକ୍ ରଖିବା କ୍ଷଣି ତାଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ ଲୁଟପାଟ କରିଥିଲେ।

ପୁଲିସ କମିସନରଙ୍କ କହିବା ଅନୁଯାୟୀ ଲୁଟେରା ମାନେ ହସ୍ପିଟାଲ ନାଁରେ, ଔଷଧ କିଣିବାକୁ କହି କିମ୍ବା ଷ୍ଟେସନରେ ଛାଡି ଦେବାକୁ ଲିଫ୍ଟ ମାଗୁଛନ୍ତି। ଏପରିକି କେତେକ ବିଳମ୍ବିତ ରାତିରେ ଘରେ ଛାଡି ଦେବାକୁ କହି କାର ଚାଳକ ଓ ବାଇକ ଚାଳକମାନଙ୍କୁ ଟ୍ରାପ କରୁଛନ୍ତି। କିଛି ବାଟ ଯିବା ପରେ ସେମାନେ ବନ୍ଧୁକ କିମ୍ବା ବେକରେ ଛୁରି ଲଗାଇ ଲୁଟପାଟ କରୁଛନ୍ତି। ତେଣୁ ଜନସାଧାରଣ ଏନେଇ ସତର୍କ ହେଲେ ଏଭଳି ଅଘଟଣ ଘଟିବ ନାହିଁ ବୋଲି ପୁଲିସ କମିସନର ଖୁରାନିଆ ପରାମର୍ଶ ଦେଇଛନ୍ତି।