ଅପରାଧ ମୁହାଁ ଯୁବପୀଢ଼ିଙ୍କ ପାଇଁ କମିସନରେଟ୍ ପୁଲିସର ନୂଆ ଯୋଜନା : ସୁରକ୍ଷା, ଟ୍ରାଫିକ୍ ପରିଚାଳନା ପରି ବିଷୟ ନେଇ କରାଯିବ ସଚେତନ
କନକ ବ୍ୟୁରୋ : ଅପରାଧ ମୁହାଁ ହେଉଛନ୍ତି ଯୁବପୀଢ଼ି । ଲୁଟ୍, ହତ୍ୟା, ଡକାୟତି, ସେକ୍ସ ସ୍କାଣ୍ଡାଲ୍ ପରି ଘଟଣାରେ ଇଞ୍ଜିନିୟରିଂ ଛାତ୍ରମାନଙ୍କ ସମ୍ପୃକ୍ତି ବଢ଼ୁଛି । ପଢ଼ିବା ସମୟରେ କିଛି ଛାତ୍ରଛାତ୍ରୀ ଏଭଳି କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଅପରାଧ ଦୁନିଆରେ ପାଦ ଥାପିବା ପୂର୍ବରୁ ସେମାନଙ୍କୁ ଉଚିତ ମାର୍ଗଦର୍ଶନ ଦେବା ଓ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ କମିସନରେଟ୍ ପୁଲିସ ପକ୍ଷରୁ ନୂଆ ଯୋଜନା ଆରମ୍ଭ କରାଯାଉଛି । ଏଣିକି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଥାନାକୁ ନିମନ୍ତ୍ରଣ କରାଯାଇ ପୁଲିସର ବିଭିନ୍ନ କାର୍ଯ୍ୟକଳାପ, ସୁରକ୍ଷା, ଟ୍ରାଫିକ୍ ପରିଚାଳନା ପରି ବିଷୟରେ ସଚେତନ କରାଯିବ । ଥାନାରେ କର୍ମଶାଳା କରିବାକୁ ମଧ୍ୟ ଯୋଜନା ହୋଇଥିବା ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରବିବାର ‘କିଟ୍’ କ୍ୟାମ୍ପସରେ ଅନୁଷ୍ଠିତ ଭୁବନେଶ୍ୱର ଜୋନ୍-୬ର ପୁଲିସର ଜନସମ୍ପର୍କ ଶିବିରରେ ଯୁବପିଢ଼ିଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ଶିବିରରେ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିଥିଲେ ମଧ୍ୟ ଯୁବପିଢ଼ିଙ୍କ ସଂଖ୍ୟା ବହୁତ କମ୍ ଥିଲା । ହାତଗଣତି କିଛି ଯୁବକ ସାମିଲ ହୋଇଥିବା ବେଳେ ଯୁବତୀଙ୍କ ସଂଖ୍ୟା ଏକ ଅଙ୍କ ବି ଟପି ନଥିଲା । ଏହାକୁ ନେଇ ପୁଲିସ କମିସନର୍ ସତ୍ୟଜିତ୍ ମହାନ୍ତି ଚିନ୍ତା ପ୍ରକଟ କରିବା ସହ ଆଗାମୀ ଦିଗରେ ବହୁ ସଂଖ୍ୟାରେ ଯୁବପିଢ଼ି କିଭଳି ସାମିଲ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ଅଞ୍ଚଳରେ ଅଧିକ ସଂଖ୍ୟାରେ କଲେଜ ଓ ସ୍କୁଲ ରହିଛି । ତେଣୁ ସମସ୍ତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଥାନାକୁ ନିମନ୍ତ୍ରଣ କରି ପୁଲିସ ପ୍ରତି ସେମାନଙ୍କ ମନରେ ଥିବା ନକରାତ୍ମକ ଧାରଣାକୁ ବଦଳାଇବାକୁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଖୁବ୍ଶୀଘ୍ର ଭୁବନେଶ୍ୱରର ବିଭିନ୍ନ ଥାନାରେ ଆରମ୍ଭ ହେବ ‘ନୋ ୟୋର୍ ପୁଲିସ’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଥାନା ଅଧିକାରୀ ନିଜ ଅଞ୍ଚଳରେ ଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଦିନ ଥାନାକୁ ନିମନ୍ତ୍ରଣ କରିବେ । ପିଲାଙ୍କ ସହ ଶିକ୍ଷାନୁଷ୍ଠାନର ଜଣେ ଶିକ୍ଷକ/ଅଧ୍ୟାପକ ମଧ୍ୟ ଥାନାକୁ ଆସିବେ। ପୁଲିସ କିଭଳି କାର୍ଯ୍ୟ କରୁଛି ସେନେଇ ଏକ ଭିଡିଓ ପ୍ରଦର୍ଶିତ କରାଯିବ। ଜଣେ ବ୍ୟକ୍ତି କେଉଁଭଳି ଭାବେ ଅଭିଯୋଗ କରେ ? ଅଭିଯୋଗକୁ କିଭଳି ଗ୍ରହଣ କରାଯାଏ ? ମାମଲା ଥାନାରେ କିଭଳି ପଞ୍ଜୀକରଣ ହୁଏ ? ସେନେଇ ପିଲାଙ୍କୁ ଅବଗତ କରାଯିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କାର ଦେବାର ବ୍ୟବସ୍ଥା କରାଯିବ । ପୁଲିସ କମିସନର ସତ୍ୟଜିତ୍ ମହାନ୍ତି ଏ ସଂପର୍କରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ଶୀଘ୍ର ଯୋଜନା କାର୍ଯ୍ୟକାରୀ ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।