ପୋଲିସକୁ ଦେଖିଲେ ଡର ଲାଗେ କାହିଁକି ? ପ୍ରଶ୍ନ ପଚାରିଲେ ସ୍କୁଲ ପିଲା, ଉତ୍ତର ଦେଲେ ପୋଲିସ କମିଶନର

26

କନକ ବ୍ୟୁରୋ : ପୁଲିସ ନାଁ ଶୁଣିଲେ, ଖାକି ପୋଷାକରେ ପୋଲିସକୁ ଦେଖିଲେ ଏବେ ବି ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ । ଛୋଟ ପିଲା ହେଉ ଅବା ବରିଷ୍ଠ ନାଗରିକ, ସମସ୍ତଙ୍କ ମନରେ ଭୟ । ଇଂରେଜ ଶାସନ ଅମଳର ଭୟ, ଏବେ ବି ରହିଛି ଲୋକଙ୍କ ମନରେ । ଏହାକୁ ଦୂର କରିବା ପାଇଁ, ବିଶେଷ କରି ପିଲାଙ୍କ ମନରୁ ଏହି ଭୟ ହଟାଇବା ପାଇଁ କମିସନରେଟ୍ ପୋଲିସ ଆରମ୍ଭ କରିଛି ଅଭିଯାନ- ନୋ ଇୟୋର ପୋଲିସ । ପୁଲିସ ପ୍ରତି ଥିବା ନକରାତ୍ମକ ମନୋଭାବକୁ ବଦଳାଇବା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତର ରଖିଛନ୍ତି ପୋଲିସ କମିସନର ।

ଆମେ ପୁଲିସକୁ ଦେଖିଲେ କାହିଁକି ଡରୁ । ଏ ପ୍ରଶ୍ନ କେବଳ ସ୍କୁଲ ଛାତ୍ରଛାତ୍ରୀଙ୍କର ନୁହେଁ । ପୁଲିସକୁ ଦେଖିଲେ ଛୋଟରୁ ବଡ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୁଏ । ଏହି ଭୟ ମଧ୍ୟ ଆଜିର ନୁହେଁ, ବ୍ରିଟିଶ ଶାସନ ଅମଳରୁ ପୁଲିସର ନାଁ ଶୁଣିବା ମାତ୍ରେ ଛାନିଆ ହୋଇଯାନ୍ତି ସମସ୍ତେ । ଆଉ ଏହି ଡର ଦୂର କରିବା ପାଇଁ ରାଜଧାନୀରେ ଅଣ୍ଟା ଭିଡିଛି କମିଶନରେଟ ପୁଲିସ । ପିଲା ମାନଙ୍କ ମନରେ ଥିବା ପ୍ରଶ୍ନକୁ ହସି ହସି ଉତର ରଖିଛନ୍ତି ଡିସିପି ଏବଂ ପୁଲିସ କମିଶନର । ପୁଲିସର ଡର ଦୂର କରିବା ପାଇଁ ଛାତ୍ର ଛାତ୍ରୀମାନେ ଡିସିପି ଏବଂ କମିଶନରଙ୍କ ସହ ସିଧାସଳଖ ଭାବ ବିନିମୟ କରିଛନ୍ତି । ପୁଲିସ ପ୍ରତି ଥିବା ନକରାତ୍ମକ ମନୋଭାବକୁ ଦୂର କରିବା ପାଇଁ ଆୟୋଜନ କରାଯାଇଛି – ‘ନୋ ଇୟୋର ପୁଲିସ’

କ୍ୟାପିଟାଲ ଥାନାରେ ‘ନୋ ଇୟୋର ପୁଲିସ’ ଅଭିଯାନ ଚାଲିଥିବା ବେଳେ ଛାତ୍ର ଛାତ୍ରୀଙ୍କୁ ବୁଝାଇବାରେ ଲାଗି ପଡିଥିଲେ ପୁଲିସର ବରିଷ୍ଠ ଅଧିକାରୀ ମାନେ । ପୁଲିସ କଂଟ୍ରୋଲ ରୁମକୁ କିପରି ସିଗନାଲ୍ ଆସେ, ଥାନା ଅଧିକାରୀଙ୍କ ପ୍ରକୋଷ୍ଠ, ଏଫଆଇଆର୍, ଷ୍ଟେସନ ଡାଏରୀ, ହାଜତ ଓ ବୟାନ ରେକର୍ଡ କକ୍ଷକୁ ବୁଲି ଦେଖିଛନ୍ତି ଛାତ୍ରଛାତ୍ରୀ ମାନେ । ପୁଲିସ ପଚାରିଥିବା ପ୍ରଶ୍ନର ସଠିକ ଉତର ରଖିଥିବା କିଛି ପିଲାଙ୍କୁ ଉପହାର ଦେଇଥିଲେ ପୁଲିସ କମିଶନର । ତେବେ ଆଗକୁ ଏଭଳି ଆୟୋଜନ ପ୍ରତି ଥାନାରେ କରିବାକୁ ଲକ୍ଷ୍ୟ ରଖିଛି କମିସନରେଟ୍ ପୁଲିସ ।