କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା କମିଶନରେଟ ପୋଲିସ ।  ଦୁଇ ଭଉଣୀଙ୍କ ଉପରୁ ହଟିଲା ୩୦୭ ଦଫା , ସାଧାରଣତନ୍ତ୍ର ଦିବସ ପରେଡ ବେଳେ ନ୍ୟାୟ ପାଇଁ ପ୍ରତିବାଦ କରୁଥିଲେ କୋରାପୁଟର ଦୁଇ ଭଉଣୀ 

638
କନକ ବ୍ୟୁରୋ : ଶେଷରେ ଚେତିଲା ପୋଲିସ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଦୁଇ ଭଉଣୀଙ୍କ ଉପରୁ ହଟିଲା ଦଫା ୩୦୭ । କମିଶନରେଟ୍ ପୋଲିସ କୋରାପୁଟର ଦୁଇ ଭଉଣୀଙ୍କ ଉପରୁ ୩୦୭ ଦଫା ଉଠାଇନେଇଛି । ଜାନୁଆରୀ ୨୬ ପରେଡ ପୂର୍ବରୁ ରାଜଧାନୀର ଲୋୟର ପିଏମଜିରେ ପ୍ରତିବାଦ କରୁଥିଲେ କୋରାପୁଟର ଦୁଇ ଭଉଣୀ । ପୋଲିସ ସେମାନଙ୍କୁ ଉଠାଇନେବା ବେଳେ ଜଣେ ଯୁବତୀଙ୍କ ଗୋଡ ମହିଳା ପୋଲିସ ଅଧିକାରୀଙ୍କ ଗୋଡରେ ବାଜିଥିଲା । ଏହାପରେ ପୋଲିସ ଦୁଇ ଯୁବତୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅର୍ଥାତ ଦଫା ୩୦୭  ଲଗାଇ ଗିରଫ କରିଥିଲା । ଦଫା -୩୦୭ ସେତେବେଳେ ଲାଗେ ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରେ । ସରଳ ଭାଷାରେ କହିବାକୁ ଗଲେ ଯଦି ଜଣଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇନାହିଁ ତେବେ ଦଫା-୩୦୭ ଅନୁସାରେ ଆକ୍ରମଣକାରୀଙ୍କ ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।
କିନ୍ତୁ ଏହି କ୍ଷେତ୍ରରେ ସେଭଳି କିଛି ହୋଇନଥିଲା । ନା ଯୁବତୀ ମାନେ ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରିଥିଲେ ନା ଯୁବତୀଙ୍କ ମାଡରେ ପୋଲିସ କର୍ମଚାରୀ ସେଭଳି ଭାବେ ଗୁରୁତର ଆହତ ହୋଇଥିଲେ । ତଥାପି କମିଶନରେଟ୍ ପୋଲିସ ଦୁଇ ଯୁବତୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ଲଗାଇ ଗିରଫ କରିଥିଲା । ଏନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ କମିଶନରେଟ୍ ପୋଲିସ ଯୁବତୀଙ୍କ ଉପରୁ ଦଫା ୩୦୭ ହଟାଇ ନେଇଛି । ପୋଲିସ କହିଛି, ପ୍ରାଥମିକ ତଦନ୍ତ ଏବଂ ଦୃଶ୍ୟରୁ ଯୁବତୀମାନେ ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କଲା ଭଳି କୌଣସି ପ୍ରମାଣ ମିଳିନାହିଁ  ।