‘ବଂଚି ଥାଉଁ ଥାଉଁ ମାରିଦେଲେ’ । ସୋସିଆଲ ମିଡିଆରେ ପପୁପପଙ୍କ ମୃତ୍ୟୁର ଅପପ୍ରଚାର । ଦିଲ୍ଲୀ ଏମ୍ସରୁ ଫେରିବା ପରେ କମେଡି କିଙ୍ଗଙ୍କ ପ୍ରତିକ୍ରିୟା

32

କନକ ବ୍ୟୁରୋ: ସିଏ ଯିଏ ହୁଅନ୍ତୁ ନା’ କାହିଁକି, ଯଦି ବଂଚି ଥାଉଁ ଥାଉଁ ଜଣକୁ ମାରି ଦେବାର ଅପପ୍ରଚାର ହୁଏ, ତାହା ନିଶ୍ଚିତ ଭାବେ ଆଘାତ ଦେବ । ଆଉ ଏହି ବ୍ୟକ୍ତି ଯଦି ଲୋକପ୍ରିୟ ତାରକା ହୁଅନ୍ତି ତାହା, ତାଙ୍କ କୋଟି କୋଟି ଫଲୋଅର୍ସଙ୍କୁ ପ୍ରଭାବିତ କରିବ । ସୋସିଆଲ ମିଡ଼ିଆରେ ଘୁରି ବୁଲୁ ଥିବା ଏହି ଫଟୋ ସବୁ ଲକ୍ଷ୍ୟ କରନ୍ତୁ- କେଉଁଥିରେ ଲେଖା ରହିଛି ‘ଆଉ ନାହାଁନ୍ତି ପପୁ’ । ଆଉ କେଉଁ ଥିରେ ଲେଖା ରହିଛି ‘ପର ପାରିରେ ପପୁ’ । କିଛି ନବୁଝି ଯେଉଁମାନେ ବି ସୋସିଆଲ ମିଡିଆରେ ଏଭଳି ଅପପ୍ରଚାର କରୁଛନ୍ତି, ସେମାନେ ଜାଣି ରଖିବା ଉଚିତ ଯେ, ଏହାଠୁ ଭଳି ହୀନ କାର୍ଯ୍ୟ ଆଉ କିଛି ହୋଇନପାରେ ।

ଏଭଳି ଅପପ୍ରଚାର ପଛରେ ଯାହା ବି ଉଦ୍ଦେଶ୍ୟ ଥାଉ ନା କାହିଁକି, ଜଣେ ସୁସ୍ଥ ମଣିଷକୁ ଆଉ ନାହାନ୍ତି କହି ପ୍ରଚାର କରିବା, ଜଣେ ବ୍ୟକ୍ତି ପ୍ରତି ଏହା ହେଉଛି ସବୁଠୁ ବଡ ଅପମାନ । ଆଉ ଏଭଳି ଅପପ୍ରଚାର ସଂପର୍କରେ ମୁହଁ ଖୋଲିଛନ୍ତି ଖୋଦ୍ ପପୁ ପମ୍ ପମ୍ ।

ଗତ ମେ’ ମାସରେ ଏକ ସୁଟିଂ ସେଟ୍ରେ ଅଚାନକ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ପ୍ରଥମେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ପ୍ରାରମ୍ଭିକ ଚିକିତ୍ସା ପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଗ୍ୟାଷ୍ଟ୍ରୋଏଂଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହେବା ପରେ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଓଡ଼ିଶା ଫେରିଥିଲେ । ତେବେ ଦୁଇ ଦିନ ତଳେ ପପୁ ରୁଟିନ୍ ଚେକ୍ଅପ୍ ପାଇଁ ଦିଲ୍ଲୀ ଯାଇଥିବାବେଳେ କିଛି ଲୋକ ପପୁଙ୍କୁ ନେଇ ଏଭଳି କିଛି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ, ଯାହା ଫଳରେ ପପୁଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି ।

ପ୍ରଶ୍ନ ଉଠୁଛି-

-ଜଣେ ଲୋକପ୍ରିୟ ଅଭିନେତାଙ୍କୁ ନେଇ କାହିଁକି ଏଭଳି ଅପପ୍ରଚାର କରଯାଉଛି?

– ଏଭଳି ଅପପ୍ରଚାର ଫଳରେ କାହାର କେଉଁ ସ୍ୱାର୍ଥ ହାସଲ ହେବ?

-ସୋସିଆଲ ମିଡିଆରେ ମିଛ ଖବର ପୋଷ୍ଟ କରି କାହିଁକି ପ୍ରସଂଶକଙ୍କୁ ଭ୍ରମିତ କରାଯାଉଛି?

ଲୋକପ୍ରିୟ କଳାକାରଙ୍କ ସଂପର୍କରେ ଏଭଳି ମିଛ ଖବର ବା ଅପପ୍ରଚାର ଓଡ଼ିଶାରେ ପ୍ରଥମ ଥର ପାଇଁ ଘଟୁଛି ତାହା ବି ନୁହେଁ । ପୂର୍ବରୁ ବର୍ଷିୟାନ୍ ଅଭିନେତା ଜୟୀରାମ ସାମଲଙ୍କୁ ନେଇ ମଧ୍ୟ ଏଭଳି ମିଛ ଖବର ପ୍ରଚାର କରାଯାଇଥିଲା ।