ସୁସ୍ଥ ହୋଇ ଓଡ଼ିଶା ଫେରିଲେ ହାସ୍ୟ ଅଭିନେତା ପପୁ ପମପମ୍ ! ଭିଡିଓ ଜାରି କରି କହିଲେ ଲୋକଙ୍କ ଭଲ ପାଇବା ଯୋଗୁଁ ଫେରି ଆସିଲେ ମୃତ୍ୟୁ ମୁଖରୁ ।

54

କନକ ବ୍ୟୁରୋ : ସୁସ୍ଥ ହୋଇ ଘରକୁ ଫେରିଲେ କମେଡି କିଙ୍ଗ୍ ପପୁ ପମପମ । ଦିଲ୍ଲୀ ଏମସରେ ଚିକିତ୍ସିତ ହୋଇ ଫେରିବା ପରେ ନିଜ ପ୍ରଥମ ଭିଡିଓ ଜାରି କରିଛନ୍ତି ହାସ୍ୟ ଅଭିନେତା ପପୁ । ଭିଡିଓରେ ପପୁ କହିଛନ୍ତି, ୨ ମାସ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଥିଲେ, ତାଙ୍କ ସୁସ୍ଥ ହେବା ସମ୍ଭବ ନୁହେଁ ବୋଲି ଡାକ୍ତର କହୁଥିଲେ । କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲପାଇବା ତାଙ୍କୁ ମୃତ୍ୟୁମୁଖରୁ ଫେରାଇଆଣିଛି ।

ଲୋକଙ୍କୁ ହସାଇ ହସାଇ ବେଦମ କରିଦେଉଥିବା ଓଲିଉଡର କମେଡି କିଙ୍ଗ ପପୁ ପମପମଙ୍କୁ, ଏହି ଫଟୋରୁ ହୁଏତ ସହଜରେ ଚିହ୍ନି ହେଉନଥିବ । ବେଶ୍ ଦୁର୍ବଳ ହୋଇପଡିଛନ୍ତି ପପୁ । ଦିଲ୍ଲୀ ଏମ୍ସରେ ଦୁଇମାସର ଚିକିତ୍ସା ପରେ ଘରକୁ ଫେରିଛନ୍ତି ପପୁ ପମପମ୍ । ହେଲେ ହାସ୍ୟ ଅଭିନେତାଙ୍କ ମୁହଁରେ ହସ ନାହିଁ । ବାରି ହୋଇପଡୁଛି ଦୁଃଖ ଓ ଦୁର୍ବଳତା । ତେବେ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲପାଇବା ତାଙ୍କୁ ମୃତ୍ୟୁମୁଖରୁ ଫେରାଇଆଣିଥିବା ଭିଡିଓ ଜାରି କରି କହିଛନ୍ତି ପପୁ ପମପମ ।

୨ ମାସ ତଳେ ପପୁଙ୍କ କମେଡି କିମିଆ କରୁଥିଲା ଦର୍ଶକଙ୍କୁ । ହେଲେ ହଠାତ୍ ପପୁଙ୍କ ପାନକ୍ରିଆସରେ ସଂକ୍ରମଣ ଖବର ସାମ୍ନାକୁ ଆସିଲା । ରଜରେ ମୁକ୍ତିଲାଭ କରିଥିବା ଫିଲ୍ମ ଫୋର୍ ଇଡିଅଟସର ସୁଟିଂ ସେଟରେ ହିଁ ଅସୁସ୍ଥ ହୋଇ ପଡିଥିଲେ ପପୁ ପମପମ୍ । ଏହାପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟ ଅତ୍ୟଧିକ ଖରାପ ହେବାରୁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଦିଲ୍ଲୀ ଏମସ୍ ସ୍ଥାନାନ୍ତର କରାଯାଇଥିଲା । ପପୁଙ୍କ ଅସୁସ୍ଥ ହେବା ଖବର ବେଶ ଦୁଃଖ ଦେଇଥିଲା ପ୍ରଶଂସକଙ୍କୁ । ହେଲେ ଏବେ ସେ ସୁସ୍ଥ ହୋଇ ଫେରିଛନ୍ତି । ଆସନ୍ତା ୧୨ ତାରିଖରେ ପପୁଙ୍କ ଫିଲ୍ମ ଟୋକାଟା ଫସିଗଲା ରିଲିଜ୍ ହେଉଛି ।