କନକ ବ୍ୟୁରୋ : ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ପପୁ ପମପମଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଆଜି ଏୟାର ଆମ୍ବୁଲାନସ ଜରିଆରେ ଦିଲ୍ଲୀ ଏମସକୁ ନିଆଯାଇଛି । ଗତ ୪ ଦିନ ହେଲା ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ସେ ଭର୍ତି ହୋଇଥିଲେ । ଦୁଇ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ପରେ ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ବଢ଼ିଥିଲା । ଫଳରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି ।

ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ଓଡିଶାର କମେଡି କିଙ୍ଗ ପପୁ ପମପମ୍ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଗ୍ନେଶୟ ଜନିତ ରୋଗରେ ପୀଡିତ ଓଡିଶାର ସବୁଠାରୁ ଲୋକପ୍ରିୟ ଏହି ହାସ୍ୟାଭିନେତାଙ୍କୁ ମଙ୍ଗଳବାର ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀର ଏମସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ପପୁଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଦିଲ୍ଲୀ ପଠାଯାଇଛି । ଏହି ଖବର ଏବେ ପପୁଙ୍କ ଲକ୍ଷ ଲକ୍ଷ ଫ୍ୟାନଙ୍କ ସମେତ ଓଲିଉଡ ଜଗତକୁ ଦୁଃଖରେ ମ୍ରିୟମାଣ କରିଦେଇଛି ।

papuମୟୁରଭଞ୍ଜର ଏକ ଅଖ୍ୟାତ ଗାଁରୁ ଆସି ନିଜ ନିଷ୍ଠା ବଳରେ ଖୁବ୍ କମ ଦିନରେ ଓଡିଆ ସିନେ ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ପପୁ । କମେଡି ଜଗତର ବେତାଜ ବାଦଶାହ କୁହାଯାଉଥିବା ପପୁଙ୍କୁ ଗତ ୧୧ ତାରଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ପପୁଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନ୍ୟ କଳାକାର ।

ନିଜ କ୍ୟାରିୟରର ପ୍ରଥମ ଭାଗରେ ବହୁ ଷ୍ଟ୍ରଗଲ କରିଥିବା ନିଜେ ସ୍ୱୀକାର କରନ୍ତି ଏହି ହାସ୍ୟାଭିନେତା । ତେଣୁ ଏହି ଦୂରାରୋଗ୍ୟ ବ୍ୟାଧିକୁ ମାତ୍ ଦେଇ ପପୁ ପୁଣି ତାଙ୍କ ହସ ପେଡି ନେଇ ଫେରିଆସିବେ ବୋଲି ଆଶା କରିଛନ୍ତି ତାଙ୍କ ଶୁଭେଛୁ ଓ ପ୍ରଶଂସକ ।