ସୁକମାରେ ମାଓ ହମଲା ପରେ ବଡ କମ୍ବିଂ ଅପରେସନ ଆରମ୍ଭ ! ୯ ସହିଦଙ୍କୁ ଦିଆଯିବ ଗାର୍ଡ ଅଫ୍ ଅନର, ସନ୍ଧ୍ୟାରେ ଓଡିଶା ଆସିପାରେ ସହିଦ ମନୋରଞ୍ଜନଙ୍କ ମରଶରୀର

25

କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମାରେ ମାଓ ଆକ୍ରମଣ ପରେ କମ୍ବିଂ ଅପରେସନ ଜାରି ରହିଛି । କିସ୍ତରାମା ଥାନା ଅନ୍ତର୍ଗତ ପଲୋଦି ଅଂଚଳରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ମାଓ ଅଧୁଷିତ ଅଂଚଳ ହୋଇଥିବାରୁ ସୁରକ୍ଷାକର୍ମୀଙ୍କ କଡା ନଜର ଭିତରେ ଥିବା ଏହି ଅଂଚଳରେ ମାଓ ଆକ୍ରମଣ ପରେ କମ୍ବିଂ କରାଯାଉଛି ।

ଗତକାଲି ପୂଜାରୀକାଙ୍କେର ଜଙ୍ଗଲରେ ମାଓବାଦୀମାନେ ଭୟଙ୍କର ବିସ୍ଫୋରଣ କରି ସିଆରପିଏଫ ଯବାନଙ୍କ ଲ୍ୟାଣ୍ଡମାଇନ ନିରୋଧି ଗାଡିକୁ ଉଡାଇ ଦେଇଛନ୍ତି । ଯେଉଁଥିରେ ସିଆରପିଏଫ ୨୧୨ ବାଟାଲିୟନର ୯ ଯବାନ ସହିଦ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମାଓ ହମଲା ପରେ ପୂଜାରୀକାଙ୍କେର ଜଙ୍ଗଲ ଓ ଏହାର ଆଖାପଖ ଅଂଚଳରେ ଜୋରଦାର କମ୍ବି ଅପରେସନ୍ ଜାରି ରହିଛି ।

ମାଓ ଆକ୍ରମଣରେ ସହିଦଙ୍କୁ ଗାର୍ଡ ଅଫ ଅନର ଦେବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି । ସୁକମା ମାଓ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନାଥ । ଏହାସହ ସିଆରପିଏଫ ଡିଜିଙ୍କ ସହ ଘଟଣା ସଂପର୍କରେ ସବିଶେଷ ଆଲୋଚନା କରିବା ସହ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ସୁକମାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ସହିଦ ହୋଇଥିବା ୯ ଜଣ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ମଧ୍ୟ ସହିଦ ହୋଇଛନ୍ତି । ପୁରୀ ଜିଲ୍ଲା ରେବଣା ନୂଆଗାଁର ମନୋରଂଜନ ଲେଙ୍କା ଏହି ମାଓ ବର୍ବରତାରେ ସହିଦ ହୋଇଛନ୍ତି । ମନୋରଂଜନ ଲେଙ୍କା ହେଉଛନ୍ତି ଦୁର୍ଯ୍ୟାଧନ ଲେଙ୍କାଙ୍କ ପୁଅ । ଦୁଃଖର କଥା ହେଉଛି-ମନୋରଂଜନ ୧୫ ଦିନ ପୂର୍ବରୁ ମୃତ ବାପାଙ୍କ ଶୁଦ୍ଧିକ୍ରିୟା ସାରି କାର୍ଯ୍ୟରେ ଯୋଗଦେଇଥିଲେ । ମନୋରଂଜନ ଅବିବାହିତ ଥିବା ବେଳେ ତାଙ୍କ ଉପରେ ପରିବାର ନିର୍ଭରଶୀଳ ଥିଲା । ତାଙ୍କ ସହିଦ ହେବା ଖବର ଆସିବା ପରେ ପରିବାରରେ ଦୁଃଖର ବାଦଲ ଖେଳି ଯାଇଛି । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ ।