କଲମ୍ବିଆରେ ଭୂସ୍ଖଳନ ! କାଦୁଅରେ ପୋତି ହୋଇଗଲା ଶହେରୁ ଅଧିକ ଘର, ୨୦୬ ମୃତ ଓ ୨୨୦ ଜଣ ନିଖୋଜ

40

କନକ ବ୍ୟୁରୋ : କଲମ୍ବିଆରେ ମୋକୋଆରେ ଭୀଷଣ ବର୍ଷା ପରେ ଭୟାନକ ଭୂସ୍ଖଳନ ହୋଇଛି । ଏଥିରେ ୨୦୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି, ୨୦୨ ଜଣ ଆହତ ଓ ୨୨୦ ଜଣ ନିଖୋଜ ଅଛନ୍ତି । ଏବେ ବହୁ ଲୋକ କାଦୁଅ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି । ସେନା ବାହିନୀ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁତୁମାୟୋର ରାଜଧାନୀ ମୋକୋଆରେ ଗତ କିଛି ଦିନ ହେବ ଲଗାଣ ବର୍ଷା ହେଉଥିଲା । ମୋକୋଆ ନଦୀର ବନ୍ୟାଜଳ ମୋକୋଆ ସହର ଉପରକୁ ମାଡି ଆସିଥିଲା ।

ଏହାପରେ ଗତ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ଭୂସ୍ଖଳନରେ ମୋକୋଆର ଘରଦ୍ୱାର ଧସି କାଦୁଅରେ ପୋତି ହୋଇଯାଇଛି । ପ୍ରାୟ ଶହେ ପରିବାରର ଘରଦ୍ୱାରର ଚିହ୍ନବର୍ଣ୍ଣ ମିଳୁ ନାହିଁ । ସହରର ସବୁ ଘର ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ ପୋଲ ଗୁଡିକ ଭାଙ୍ଗି ଯାଇଛି, ଗାଡିଗୁଡିକ ପାଣିରେ ବୋହି ଯାଇଛି, ଗଛ ଗୁଡିକ ଉପୁଡି ପଡିଛି । ମୋକୋଆ ସହରରେ ପ୍ରକୃତି ଛାଡିଯାଇଛି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ପାଦ ଚିହ୍ନ ।