ରହିବା ପାଇଁ ପୃଥିବୀରେ ଜାଗା ନାହିଁ ! ୨୦୩୦ ସୁଦ୍ଧା ଚନ୍ଦ୍ର ଓ ମହାକାଶରେ କଲୋନୀ କରି ରହିବ ମଣିଷ ।

67

ପାଣି, ପ୍ରଦୂଷଣ, ରାସ୍ତା ଜାମ, ଏବଂ ଏକ ଭଲ ଘରର ସନ୍ଧାନ, ଏମିତି କେତେ ସମସ୍ୟା ଆମକୁ ପ୍ରତିଦିନ ଘେରି ରଖିଛି । କିନ୍ତୁ ଜାପାନର ପ୍ରଥମ ମହାକାଶଚାରୀ ମୂକାଇଙ୍କ କହିବା କଥା ଏହି ସବୁ ସମସ୍ୟା ପୃଥିବୀରେ ଆଉ ଅଳ୍ପ ଦିନ ପାଇଁ ରହିବ । ୫୦୦ ଘଣ୍ଟାରୁ ଅଧିକ ସମୟ ମହାକାଶରେ ରହିଥିବା ଚିଆକି ମୂକାଇ ସ୍ପେଶରେ କଲୋନୀ ତିଆରି କରିବାର ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ୩୦ଜଣ ସଦସ୍ୟ ଥିବା ଏହି ଟିମ ଟୋକିୟୋ ୟୁନିଭରସିଟି ଅଫ୍ ସାଇନ୍ସର ହାଇ ଟେକ୍ ଲ୍ୟାବରେ ଏହି କଥାକୁ ଅଧ୍ୟୟନ କରୁଛନ୍ତି ଯେ, ଭବିଷ୍ୟତରେ କିପରି ଜଣେ ଲୋକକୁ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ଜୀବିତ ରଖାଯାଇପାରିବ । କେବଳ ଏତିକି ନୁହେଁ, ଭବିଷ୍ୟତରେ ମହାକାଶରେ କିପରି କଲୋନୀ ତିଆରି କରାଯାଇପାରିବ ସେଥିପାଇଁ ମଧ୍ୟ ସେ କାମ କରୁଛନ୍ତି ।

ମୂକାଇଙ୍କ କହିବା କଥା, ଆମ ସମସ୍ତଙ୍କ ପାଇଁ ଏବେ ପୃଥିବୀ ଛୋଟ ପଡିବାରେ ଲାଗିଲାଣି । ସେଥିପାଇଁ ଏମିତି ଏକ ଗ୍ରହର ଅନୁସନ୍ଧାନ କରିବା ଉଚିତ, ଯେଉଁଥିରେ ମନୁଷ୍ୟ ସହଜରେ ରହିପାରିବ । ସେ କହିଛନ୍ତି ଯେ, ମହକାଶରେ ବଞ୍ଚିବା ପାଇଁ ସମ୍ଭାବନାକୁ ଏବେ ଏକ ନୂଆ ମୋଡରେ ପହଞ୍ଚିଯାଇଛି ।

୨୦୩୦ ସୁଦ୍ଧା ଚନ୍ଦ୍ରରେ ରହିବ ମନୁଷ୍ୟ :
ମୂକାଇ ଦାବି କରିଛନ୍ତି ଯେ, ୨୦୩୦ ସୁଦ୍ଧା ଚନ୍ଦ୍ରପୃଷ୍ଟରେ କଲୋନୀ ସ୍ଥାପିତ କରାଯାଇପାରିବ ।ଏହା ସହ ତାଙ୍କ ଟିମ୍, ମହାକାଶରେ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଫସଲ ଉତ୍ପାଦନା କରିବାର ପ୍ରକ୍ରିୟା ନେଇ ଦାବି କରିଛନ୍ତି । ସେ କହିଛନ୍ତି, ଏହି ପ୍ରକ୍ରିୟା ପାଇଁ ଏକ ସାଲାଇନ ସଲ୍ୟୁସନରେ ହାଇ ଭୋଲ୍ଟେଜ ବିଦ୍ୟୁତ ଦିଆଯାଇ ତରଳ ପ୍ଲାଜମା ପ୍ରସ୍ତୁତ କରାଯିବ । ଯାହାର ବ୍ୟବହାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବା ପାଇଁ କରାଯିବ ।

କଲୋନୀରେ ଲାଗିବ ଏକ ସ୍ୱତନ୍ତ୍ର ସେନସର :
ମୂକାଇଙ୍କ କହିବା କଥା, ଥର୍ମୋଇଲେକ୍ଟ୍ରିକ ସେନ୍ସର ବ୍ୟବହାର କରି ବିଦ୍ୟୁତ ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ସିଷ୍ଟମ ପ୍ରସ୍ତୁତ କରାଯାଇଛି । ଏହି ସିଷ୍ଟମର ଆକାର ଆଇପ୍ୟାଡ ନେନୋ ସହ ସମାନ ହେବ । ସେ ଏହା ବି କହିଛନ୍ତି ଯେ, ଏହି ସେନ୍ସରକୁ ଏହି କଲୋନୀରେ ସହଜରେ ଲଗାଯାଇପାରିବ । ସେ କହିଛନ୍ତି ଯେ, ମହାକାଶରେ ଆବଶ୍ୟକ ଅନୁସାରେ ହିଁ କଲୋନୀ ତିଆରି କରାଯାଇପାରିବ । ସ୍ପେଶରେ ମନୁଷ୍ୟ କେମିତି ଚଳିପାରିବ ଏବଂ ସହଜରେ ଫସଲ ଉତ୍ପାଦନ କରିପାରିବ ସେଥିପାଇଁ ବିଶେଷଜ୍ଞମାନେ ରିସର୍ଚ୍ଚ କରୁଛନ୍ତି ଯେଉଁଥିରେ ମାଟିର ଆବଶ୍ୟକତା ରହିବ ନାହିଁ ।