ମାଲେଗାଁଓ ବିସ୍ଫୋରଣ ମାମଲା : ୯ବର୍ଷ ପରେ ଜେଲରୁ ମୁକୁଳିଲେ ଲେଫ୍ଟନାଂଟ କର୍ଣ୍ଣେଲ ପୁରୋହିତ 

32

କନକ ବ୍ୟୁରୋ : ୯ବର୍ଷ ପରେ ଜେଲରୁ ମୁକୁଳିଲେ ଲେଫ୍ଟନାଂଟ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତ । ମୁମ୍ବାଇ ମାଲେଗାଓଁ ବିସ୍ଫୋରଣ ମାମଲାରେ ଗିରଫ ହୋଇ ୯ବର୍ଷ ହେଲା ମୁମ୍ବାଇର ତଲୋଜା ଜେଲରେ ଥିବା କର୍ଣ୍ଣେଲ ପୁରୋହିତ ମୁକୁଳିଛନ୍ତି । କର୍ଣ୍ଣେଲ ପୁରୋହିତ ଜେଲରୁ ମୁକୁଳିବାପରେ ସେନା ଅଧିକାରୀ ତାଙ୍କୁ ସାଥିରେ ନେଇଯାଇଥିଲେ । କର୍ଣ୍ଣେଲ ପୁରୋହିତଙ୍କ ଗାଡିକୁ ବାଟ କଢାଇ ନେଇଥିଲା ସେନା ଗାଡି । ମାଲେଗାଓଁ ବିସ୍ପୋରଣ ଘଟଣାରେ ଆରଡିଏକ୍ସ ଯୋଗାଣ ସହ ଘଟଣାର ଷଡଯନ୍ତ୍ର କରିଥିବା ନେଇ କର୍ଣ୍ଣେଲ ପୁରୋହିତଙ୍କ ନାଁରେ ମାମଲା ଚାଲିଛି ।

ସୋମବାର ଦିନ ଲେଫ୍ଟନାଂଟ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ତାଙ୍କ ଜାମିନ ଆବେଦନ ରବ୍ଦ କରିବା ଅପିଲକୁ କୋର୍ଟ ଆଗ୍ରାହ୍ୟ କରି ଏହି ରାୟ ଶୁଣାଇଥିଲେ । ୨୦୦୮ ମସିହା ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ର ମାଲେଗାଓଁରେ ବିସ୍ଫୋରଣ ହୋଇଥିଲା । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୯ଜଣ ଗୁରୁତର ଆହତ ହୋଇଥିଲେ । ମାମଲାରେ ସାଧ୍ୱି ପ୍ରଜ୍ଞା ଓ ସ୍ୱାମୀ ଦୟାନନ୍ଦଙ୍କ ସମେତ ୧୪ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଥିଲା । କର୍ଣ୍ଣେଲ ପୁରୋହିତଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୋଧରେ ୪ହଜାର ପୃଷ୍ଠାର ଚାର୍ଜସିଟ କୋର୍ଟରେ ଦାଖଲ କରାଯାଇଥିଲା ।