ପ୍ଲାଷ୍ଟିକ୍‌ମୁକ୍ତ ହେବ ବିଶ୍ବବିଦ୍ୟାଳୟ ଓ କଲେଜ କ୍ୟାମ୍ପସ : ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ବଦଳରେ କପଡ଼ା ବ୍ୟାଗ୍ ଓ କାଚ ପାଣି ବୋତଲ ବ୍ୟବହାର କରିବାକୁ ପରାମର୍ଶ

235

କନକ ବ୍ୟୁରୋ : ବିଶ୍ବବିଦ୍ୟାଳୟ ଓ କଲେଜ କ୍ୟାମ୍ପସ ହେବ ପ୍ଲାଷ୍ଟିକ୍‌ମୁକ୍ତ । ଉଚ୍ଚ ଶିକ୍ଷାନୁଷ୍ଠାନର କୌଣସି ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ପ୍ଲାଷ୍ଟିକ୍‌ ଟିଫିନ୍‌ କିମ୍ବା ପଲିଥିନ୍‌ରେ ଖାଦ୍ୟ ଆଣିବେନି । ପ୍ଲାଷ୍ଟିକ୍‌ ବୋତଲରେ ପାଣି ଆଣିବେନି । ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବଦଳରେ କପଡ଼ା ବ୍ୟାଗ୍‌, କାଗଜ ବ୍ୟାଗ୍‌ ଓ କାଚ ପାଣି ବୋତଲ ବ୍ୟବହାର କରିବେ । ସାରା ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ଚାଲିଥିବା ଅଭିଯାନକ୍ରମରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଦେଶରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିର୍ଦେଶ ଦିଆଯାଇଛି । କ୍ୟାମ୍ପସରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଯଦି କୌଣସି ଅଧିକାରୀ, ଛାତ୍ରଛାତ୍ରୀ ନିୟମକୁ ପାଳନ ନ କରନ୍ତି ସେମାନଙ୍କୁ ପ୍ରଥମେ ସଚେତନ ଓ ପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ଦେଶରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲଗାଯାଇପାରୁନି । ଯେଉଁଥିପାଇଁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ପରିବେଶ ପ୍ରଦୂଷିତ ହେବା ସହ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ତାହାକୁ ଦୃଷ୍ଟିରେ ରଖି କ୍ୟାମ୍ପସକୁ ପ୍ଲାଷ୍ଟିକ୍‌ ମୁକ୍ତ ଘୋଷଣା‌ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ଦେଶରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ଲାଷ୍ଟିକ୍‌ ବଦଳରେ ପରିବେଶ ସହ ଖାପ ଖାଉଥିବା ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିଶ୍ବବିଦ୍ୟାଳୟ କ୍ୟାଣ୍ଟିନ୍‌, ସପିଂ କମ୍ପ୍ଲେକ୍ସ ଓ ହଷ୍ଟେଲରେ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ କୁହାଯାଇଛି । କ୍ୟାଣ୍ଟିନ୍‌ଗୁଡ଼ିକ ପ୍ଲାଷ୍ଟିକ୍‌ ବଦଳରେ ପାଣି ବୋତଲର ବିକଳ୍ପ ବ୍ୟବହାର କରିବେ । ଛାତ୍ରଛାତ୍ରୀ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ପରିବର୍ତେ କପଡ଼ା ବ୍ୟାଗ୍‌, ପେପର୍‌ ବ୍ୟାଗ୍‌ ବ୍ୟବହାର କରିବାକୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ନିର୍ଦେଶ ଦେବେ ।

ନିୟମ ଲାଗୁ କରିବା ପୂର୍ବରୁ କଲେଜ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସଚେତନ କରାଇବେ । ପ୍ଲାଷ୍ଟିକର ପ୍ରଭାବ କିଭଳି ପରିବେଶ ଉପରେ ପଡ଼ୁଛି ସେନେଇ କର୍ମଶାଳା ମାଧ୍ୟମରେ ଜଣାଇବେ । ମାଟିରେ ମିଳାଉ ନଥିବା ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ କରାଯିବ । ଏପରିକି ଛାତ୍ରଛାତ୍ରୀ ସେମାନଙ୍କ ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଦିଗରେ ବି ପଦକ୍ଷେପ ନେବେ । ପରିବାର ଲୋକଙ୍କୁ ମଧ୍ୟ ‌ସେମାନେ ସଚେନତ କରାଇବେ । ସେହିପରି ଉନ୍ନତ ଭାରତ ଅଭିଯାନରେ ସାମିଲ ହୋଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ପୋଷ୍ୟଗ୍ରମକୁ ପ୍ଲାଷ୍ଟିକ୍‌ମୁକ୍ତ ଗାଁ କରିବା ଦିଗରେ ପଦ‌କ୍ଷେପ ନେବେ। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସେଠାକୁ ଯାଇ ସଚେତନ କାର୍ଯ୍ୟକ୍ରମ କରିବେ । ଗାଁ ଲୋକମାନଙ୍କୁ ପ୍ଲାଷ୍ଟିକର ଅପକାରିତା‌ ସମ୍ପର୍କରେ ଜଣାଇବେ । ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରବର୍ତ୍ତାଇବେ ।