୪ ମିନିଟର ଛାତିଥରା କାହାଣୀ: ଏକୁୁଟିଆ ପାଇ ୨ ଛାତ୍ରୀଙ୍କୁ ଘେରି ଗଲେ ୮ରୁ ୧୦ ଜଣ ଯୁବକ, ଆଉ ତାପରେ…

2,481

କନକ ବ୍ୟୁରୋ: ‘ଜୁହାର ହେଉଛୁ… ଆପଣଙ୍କ ଗୋଡ ଧରୁଛୁ… ଆମକୁ ଛାଡି ଦିଅନ୍ତୁ, ଆମକୁ ଯିବାକୁ ଦିଅନ୍ତୁ…’
୪ ମିନିଟର ଛାତିଥରା ଭିଡିଓ ଭିତରୁ ଏଥିଲା ପ୍ରଥମ କେଇ ସେକେଣ୍ଡର ଆକୁଳ ନିବେଦନ । ନିଛାଟିଆରେ ନିର୍ଯାତିତ ହେଉଥିବା ନାରୀର ଆର୍ତ୍ତ ଚିକ୍ରାର । ଶୂନଶାନ ରାସ୍ତାରେ ନିର୍ଯାତିତ ହେଉଥିବା ୨ ଛାତ୍ରୀଙ୍କ ଏ ଭିଡିଓରେ ପ୍ରଥମ କେଇ ସେକେଣ୍ଡକୁ ଛାଡି ଦେଲେ ତାପର ଠାରୁ ତାଙ୍କୁ ଦିଆ ଯାଉଥିବା ଅକଥନୀୟ ଅତ୍ୟାଚାର ସଭ୍ୟସମାଜ ପାଇଁ ଶୁଣିବା ଏକଦମ ଅସମ୍ଭବ । କାରଣ ୨ ଛାତ୍ରୀଙ୍କୁ ନିଛାଟିଆ ରାସ୍ତାରେ ଘେରି ଯାଇ ସେମାନଙ୍କୁ ଜୋରଜବରଦସ୍ତ ନିର୍ଯାତନା ଦେଉଥିଲେ ୮ରୁ ୧୦ ଜଣ ଯୁବକ ।

ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବାର ଏ ଭିଡିଓ ଭାଇରାଲ ହେବା ପରେ ସଭ୍ୟ ସମାଜର ମୁଣ୍ଡ ତଳକୁ ହୋଇଛି । ଭାଇରାଲ ଭିଡିଓରେ ୨ ଜଣ ଛାତ୍ରୀଙ୍କୁ ନିର୍ଯାତନା ଦେଉଛନ୍ତି ପ୍ରାୟ ୮-୧୦ ଜଣ ଆସାମାଜିକ ଯୁବକ । ପୀଡିତା ଛାତ୍ରୀ ଦୁଇ ଜଣ ସେମାନଙ୍କୁ ଛାଡି ଦେବାକୁ ଯୁବକମାନଙ୍କ ଗୋଡ ଧରି ପକାଉଛନ୍ତି, ବିକଳ ଭାବେ କାନ୍ଦୁଛନ୍ତି, ନେହୁରା ହେଉଛନ୍ତି । ହେଲେ ସେମାନଙ୍କ ଗୁହାରି କେହି ଶୁଣୁ ନାହାନ୍ତି । ବରଂ ଯେତେସବୁ ଅଶାଳୀନ ଭାଷାରେ ସେମାନଙ୍କୁ ଗାଳି ଗୁଲଜ କରୁଛନ୍ତି ।

ତେବେ ଅସାମାଜିକ ଯୁବକମାନେ ଛାତ୍ରୀଙ୍କ ମୋବାଇଲ ଛଡ଼ାଇ ନେଇଥିଲେ । ଆଉ ସେମାନଙ୍କୁ ୫ ହଜାର ଟଙ୍କା ଦେବାକୁ ବାଧ୍ୟ କରୁଥିଲେ । ଟଙ୍କା ନଦେଲେ ସେମାନଙ୍କୁ ମୋବାଇଲ ମିଳିବନି ବୋଲି ଧମକ ବି ଦେଉଥିଲେ । ତେବେ ସ୍କୁଲ କିମ୍ବା ଜୁନିଅର କଲେଜର ୟୁନିଫର୍ମ ପିନ୍ଧିଥିବା ଦୁଇ ଛାତ୍ରୀ ସମ୍ଭବତ କୌଣସି ଏକ ସ୍ଥାନକୁ ଯାଇଥିବା ବେଳେ ସେମାନଙ୍କୁ ଘେରି ଯାଇଛନ୍ତି ଯୁବକ । ଆଉ ନିଛାଟିଆ ଦେଖି ଛାତ୍ରୀଙ୍କୁ ନିର୍ଯାତନା ଦେବା ସହ ତାଙ୍କ ଠାରୁ ମୋବାଇଲ ଆଉ ବ୍ୟାଗରୁ ଅନ୍ୟ ସାମଗ୍ରୀ ବି ଛଡ଼ାଇ ନେଉଥିବା ଭିଡିଓ ଭାଇରାଲ ହେଉଛି ।

ନିର୍ଯାତନା ବେଳେ ଅସହାୟ ଅବସ୍ଥାରେ ଅତି ବିକଳ ଭାବେ କାନ୍ଦୁଛନ୍ତି ପୀଡି଼ତା ଛାତ୍ରୀ ଦୁଇ ଜଣ । ହେଲେ ସେମାନଙ୍କ କାନ୍ଦ କାହାରି କାନରେ ପଡୁନଥିବା ବେଳେ ଓଲଟି ଯୁବକମାନେ ଛାତ୍ରୀଙ୍କ ନିର୍ଯାତନାର ଭିଡିଓକୁ ନିଜ ମୋବାଇଲରେ ସୁଟିଂ କରୁଥିଲେ ଆଉ ବ୍ଲାକ୍ମେଲ କରୁଥିଲେ । ପ୍ରାୟ ସାଢ଼େ ୪ ମିନିଟର ନିର୍ଯାତନାର ଏହି ଭାଇରାଲ ଭିଡିଓ କୁଚିଣ୍ଡା ଅଂଚଳର ବୋଲି କୁହାଯାଉଥିଲେ ବି ଏ ପର୍ଯ୍ୟନ୍ତ ପୋଲିସ କିଛି ସ୍ପଷ୍ଟ କରିନାହିଁ ।

ତେବେ ଭିଡିଓ ଦେଖିଲା ପରେ ଏହା ତଥାକଥିତ ସଭ୍ୟ ସମାଜକୁ ଏକ ଶକ୍ତ ଚାପୁଡା ମାରିଛି । ନାରୀଙ୍କ ସୁରକ୍ଷା ଆଉ ନାରୀଙ୍କୁ ସମ୍ମାନ କଥା କହି ଡେଙ୍ଗୁରା ପିଟୁଥିବା ମଣିଷମାନଙ୍କ ଉପରେ ଆଙ୍ଗୁଳି ଉଠାଇଛି । ନିଛାଟିଆରେ ନାରୀଟିଏ ଦେଖିଲେ ପୁରୁଷ କଣ ପାଇଁ ଏମିତି କରି ବସେ ? ଯେଉଁ ନାରୀ ତାକୁ ଏ ଦୁନିଆକୁ ଆଣିଛି, ସେହି ନାରୀକୁ ନଗ୍ନ କରିବାକୁ, ନିର୍ଯାତନା ଦେବାକୁ କଣ ପାଇଁ ଆଗେଇ ଆସେ ପୁରୁଷଟି? ନିଛାଟିଆରେ ନାରୀଟିଏ ଦେଖିଲେ କାହିଁକି ନୃସଂଶ ହୋଇପଡେ ଏ ପୁରୁଷ ଜାତି ? ଏହା ପୁରୁଷଙ୍କ ବାଜେ ପ୍ରବୃତି ନା କିଛି ଅସାମାଜିକ ଲୋକଙ୍କ ମାନସିକତା ? ୪ ମିନିଟର ଏ ଛାତିଥରା ଭିଡିଓ ଏମିତି କିଛି ପ୍ରଶ୍ନ ସଭ୍ୟ ସମାଜକୁ କରିଛି । ଯାହାର ଉତ୍ତର ଏବେବି ଅନ୍ଧାରରେ ରହିଛି ।

Comments are closed.