ହଳ କରୁଛି ପାଠୋଇ ଝିଅ ! ଯୁକ୍ତ ଦୁଇରେ ପାଠ ପଢୁଥିଲେ ବି ଚାଷବାସରେ ପରିବାରକୁ କରୁଛି ସହାୟତା

166

କନକ ବ୍ୟୁରୋ : ଯଦି ଆପଣ ଭାବୁଥିବେ ହଳ ଲଙ୍ଗଳ ଧରିବା କେବଳ ପୁରୁଷର କାମ ଓ ଏହା କେବଳ ପୁରୁଷ ହିଁ କରିପାରିବେ , ତେବେ ଆପଣ ଭୁଲ୍ ଭାବୁଛନ୍ତି । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ସୁରିଙ୍ଗି ଗାଁର ଜଣେ ୧୫ ବର୍ଷର ଝିଅ ଶିବାନୀ ଜାନି କେତେ ପ୍ରେରଣା ଦାୟୀ ହୋଇପାରେ ଏ ହେଉଛି ତାର ଉଦାହରଣ । ଘରେ ଭାଇ ନାହାଁନ୍ତି । ୩ ଭଉଣୀ ଏମାନେ । ଆଉ ଦେହ ଖରାପ ଥିବା ବାପାଙ୍କୁ ସାହାଯ୍ୟ କରିବାକୁ ଓହ୍ଲାଇ ଆସଛନ୍ତି ହଳ ଲଙ୍ଗଳ ଧରି।

ଇଏ ଏମିତି ଏକ କାହାଣୀ ଯାହା ସମସ୍ତେ ବିଶ୍ୱାସ କରି ପାରିବେ ନାହିଁ । ଜଣେ ଝିଅ ବିଲରେ କାମ କରିବା ସହ ଯୁକ୍ତ ଦୁଇରେ ପାଠ ପଢୁଛନ୍ତି । ଅଭାବ ଅନଟନ ଭିତରେ ବାପା ଅଲେଖ ଜାନି ପୁଅଟିଏ ଆଶା କରିଥିଲେ ହେଲେ ୩ଟି ଝିଅ ଜନ୍ମ ହେଲେ । ପ୍ରଥମରୁ ଟିକିଏ ଦୁଃଖି ହୋଇଯାଇଥିବା ଅଲେଖ କିନ୍ତୁ ଏବେ ଅନୁଭବ କରୁଛନ୍ତି ତାଙ୍କ ଝିଅ କୈାଣସି ପୁଅ ଠାରୁ କମ୍ ନୁହେଁ ।

ସକାଳେ ହଳ କରିବା ଏବଂ ବିଲ କାମ ସାରି ଜଣେ ଛାତ୍ରୀ ଭାବେ ନିଜର କର୍ତ୍ତବ୍ୟ ସଂପାଦନ କରିବା , ବୋଧହୁଏ ଆଜିର ଦିନରେ ଏକ ବିରଳ ଘଟଣା । ବିଲରେ କାମ କରିବାକୁ ଆଜିର ପିଲା ହୁଏତ ଲଜ୍ଜା ବୋଲି ଭାବନ୍ତି କିମ୍ବା ଏହି ପରିଶ୍ରମ କରିବାକୁ ରାଜି ହୁଅନ୍ତି ନାହିଁ , କିନ୍ତୁ ଶିବାନୀ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ।