ଛାତ୍ର ସଂସଦ ନିର୍ବାଚନ ନେଇ ଉଷ୍ମ ହେଉଛି କ୍ୟାମ୍ପସ ରାଜନୀତି ! ସୋସିଆଲ ମିଡିଆରେ ଚାଲିଛି କ୍ୟାମ୍ପେନିଂ

66

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଖେଇ ଆସୁଥିବାବେଳେ ଉଷ୍ମ ହେଉଛି କ୍ୟାମ୍ପସ ରାଜନୀତି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ପ୍ରାର୍ଥୀ । କ୍ୟାମ୍ପସ ବାହାରେ ପୋଷ୍ଟର, ବ୍ୟାନର ମାରିବା ସହ କ୍ଲାସ ଟୁ କ୍ଲାସ କ୍ୟାମ୍ପେନିଂକୁ ଆପଣେଇଛନ୍ତି ଛାତ୍ରନେତା । ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ସୋସିଆଲ ମିଡିଆ । କାରଣ କମ୍ ସମୟରେ ଏକାଧିକ ଛାତ୍ରଛାତ୍ରୀଙ୍କ ପାଖରେ ପଂହଚିବାର ପ୍ରମୂଖ ମାଧ୍ୟମ ହୋଇଛି ଫେସବୁକ, ହ୍ୱାଟ୍ସଆପ ଓ ଟ୍ୱିଟର ଭଳି ସୋସିଆଲ ସାଇଟ୍ ।

କ୍ୟାମ୍ପସ ବାହାରେ ପୋଷ୍ଟର ଓ ହୋଡିଂ ଲଗାଇଛନ୍ତି ସଭାପତି ଓ ସଂପାଦକ ପ୍ରାର୍ଥୀ । ଛାତ୍ର ନେତାଙ୍କ ପଛରେ ରହି ଗୋଟି ଚଳାଉଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ । ଆଉ କ୍ୟାମ୍ପସ କବ୍ଜା ପାଇଁ ସୋସିଆଲ ମିଡିଆକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ନେତା । ଆଜିକାଲି ଛାତ୍ରଛାତ୍ରୀମାନେ ସ୍ମାର୍ଟଫୋନର ବହୁଳ ବ୍ୟବହାର କରୁଥିବାବେଳେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ରହୁଛନ୍ତି । ତେଣୁ ଡୋର ଟୁ ଡୋର କ୍ୟାମ୍ପେନିଂ ଅପେକ୍ଷା ଖୁବ କମ ସମୟ ମଧ୍ୟରେ ଏକାଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ପାଇଁ ଫେସବୁକ, ହ୍ୱାଟ୍ସଆପ ଓ ଟ୍ୱିଟର ପରି ସୋସିଆଲ ସାଇଟକୁ ମାଧ୍ୟମ କରିଛନ୍ତି ପ୍ରାର୍ଥୀ । ଭୋଟ ପାଇଁ ଅପିଲ କରିବା ସହ କ୍ୟାମ୍ପସ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।

କେବଳ ୱିସ ବା ଭୋଟ ଅପିଲରେ ସୀମିତ ନାହିଁ ସୋସିଆଲ ମିଡିଆ କ୍ୟାମ୍ପେନ । କଲେଜ କ୍ୟାମ୍ପସରେ ଜନ୍ମଦିନ ଉତ୍ସବ ପାଳନ କରି ଭିଡିଓକୁ ଫେସବୁକରେ ମଧ୍ୟ ସେୟାର କରୁଛନ୍ତି ଛାତ୍ରୀନେତା । ସମୟ ସହ ତାଳ ଦେଇ ବଦଳୁଛି କଲେଜ ଛାତ୍ର ସଂସଦ ନିର୍ବାଚନ ପ୍ରଚାରର ପ୍ରକ୍ରିୟା । ଯେଉଁଠି ପୁସିଂ କାର୍ଡ ଓ ଲିଫଲେଟର ସ୍ଥାନ ନେଇଛି ସୋସିଆଲ ସାଇଟ ।