କଲେଜ କ୍ୟାମ୍ପସରେ ଛାତ୍ରଙ୍କ ଓପନ୍ ବାର । ସିଗାରେଟ୍ ଧୁଆଁରେ ଅଣନିଃଶ୍ୱାସୀ ହେଉଛି ଶିକ୍ଷାର ମନ୍ଦିର

35

କନକ ବ୍ୟୁରୋ: କଲେଜ କ୍ୟାମ୍ପସରେ ମଦର ମେହେଫିଲ୍ । ସିଗାରେଟ୍ ଧୁଆଁରେ ଅଣନିଃଶ୍ୱାସୀ ହେଉଛି ଶିକ୍ଷାର ମନ୍ଦିର । ଏଭଳି ଘଟଣା ସାମ୍ନାକୁ ଆସିଛି ପୁରୀର ଏକ ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନରୁ। ଯେଉଁଠାରେ କଲେଜ କ୍ୟାମ୍ପସରେ ଓପନ ବାର ଖୋଲିଛନ୍ତି ଛାତ୍ର । କାନ୍ଧରେ ବ୍ୟାଗ୍ ପଡିଛି, ହାତରେ ଅଛି ମଦ ଗ୍ଲାସ ଓ ସିଗାରେଟ୍ । ଯେଉଁ ବୟସରେ ଭବିଷ୍ୟତ ଗଢ଼ିବାର କଥା ସେହି ବୟସରେ ଛାତ୍ର ହାତରେ ଧରିଛନ୍ତି ମଦ ବୋତଲ୍ ।

ପୁରୀ ଏସସିଏସ୍ ଅଟୋନମସ୍ କଲେଜ । କଲେଜ କ୍ୟାମ୍ପସ୍ ଭିତରେ ଖୋଲିଛି ଯେପରି ଠିପି ଖୋଲା ମଦ ଦୋକାନ । ପେଗ୍ ପରେ ପେଗ୍ ମଦ ପିଇବାରେ ଲାଗିପଡିଛନ୍ତି  । ଆଉ ପ୍ରତି ପେଗ୍ ପରେ ଛାତ୍ର ଟାଣୁଛନ୍ତି ସିଗାରେଟ୍ । କଥାଟା ଆପଣଙ୍କୁ ବିବ୍ରତ କରୁଥାଇପାରେ ଓ ଅଭିଭାବକଭାବେ ପିଲାଙ୍କ ଭବିଷ୍ୟତ ଏଭଳି ନଷ୍ଟ ହେଉଥିବା ଚିନ୍ତାରେ ପକାଉଥାଇପାରେ । ତେବେ ଏହା ସତ । ଗୋଟେ ପଟେ ଚାଲିଛି ପାଠପଢ଼ା, ଅନ୍ୟପଟେ ବସିଛି ମଦର ଆସର ।

ପୂର୍ବରୁ ସି ବିଚରେ ଖୋଲାଖୋଲି ମଦ ପିଆକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ଏବେ ଛାତ୍ରଙ୍କ ଓପନ୍ ବାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପଟେ କଲେଜରେ ସିସିଟିଭି ନ ଲଗାଇବା ଓ ସୁରକ୍ଷା ପାଇଁ ଆବଶ୍ୟକ ପରିମାଣର କର୍ମଚାରୀ ମୁତୟନ ନ କରିବା ଯୋଗୁଁ ଏଭଳି ଘଟିବା ଛାତ୍ରମହଲରୁ କୁହାଯାଇଛି । ସେପଟେ ଶିକ୍ଷାନୁଷ୍ଠାନ ଭଳି ସ୍ଥାନରେ ଅଣଛାତ୍ରଙ୍କ ସହ ମିଶି ଛାତ୍ରଙ୍କ ଏଭଳି ମଦ୍ୟପାନ କରିବା ଅଭିଭାବକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ତେବେ ରାଜ୍ୟର ପୁରୁଣା ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଏସସିଏସ୍ କଲେଜର ପରିଚୟ ରହିଛି । ଅନେକ ପ୍ରସିଦ୍ଧ ଓ ସଫଳ ବ୍ୟକ୍ତିତ୍ୱଙ୍କୁ ତିଆରି କରିଛି ଏହି କଲେଜ୍ । ଏବେ ଏହି ମଦପିଇବା ଘଟଣା କଲେଜର ଛବିକୁ ଖରାପ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ଦାବି ଉଠିଛି ।