୧୨ ବର୍ଷରେ ବଦଳିଲେଣି ୧୩ ଜିଲ୍ଲାପାଳ । କୋରାପୁଟରେ ବାରମ୍ବାର ଜିଲ୍ଲାପାଳଙ୍କ ବଦଳି ଯୋଗୁଁ ଅଧାରେ ଅଟକିଛି ବିକାଶ, ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।

388

କନକ ବ୍ୟୁରୋ : ବାରମ୍ବାର ବଦଳୁଛନ୍ତି ଜିଲ୍ଲା ମୁଖିିଆ । ବାଟବଣା ହେଉଛି ଜିଲ୍ଲାର ସମସ୍ତ ବିକାଶ । ଲୋକଙ୍କୁ ଜିଲ୍ଲପାଳଙ୍କ ନାଁ ପଚାରିଲେ ଭାବିବାକୁ ନେଉଛନ୍ତି ସମୟ । କାର୍ଯ୍ୟାଳୟକୁ ଆସିଲେ ପଚାରିବାକୁ ପଡ଼ୁଛି କିଏ ଅଛନ୍ତି ବର୍ତମାନର ଜିଲ୍ଳାପାଳ ? ଏମିତି ଘଟଣା ଏବେ ନୁହେଁ, ଘଟିଆସୁଛି ବିଗତ ଅଢ଼େଇ ବର୍ଷରୁ । ସବୁଠୁ ବଡ଼ କଥା ହେଉଛି କୋରାପୁଟ ଜିଲ୍ଲାରେ ୧୨ ବର୍ଷରେ ବଦଳିଛନ୍ତି ୧୩ ଜିଲ୍ଲାପାଳ । ଫଳରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କିଛି ଅଧାରେ ଅଟକି ରହିଛି ।

ବାରମ୍ବାର ବଦଳୁଛନ୍ତି ଜିଲ୍ଲା ମୁଖିଆ । ୧୨ ବର୍ଷରେ ବଦଳିଲେଣି ୧୩ ଜିଲ୍ଲାପାଳ । ଲାଗିରହିଛି ଜିଲ୍ଲାପାଳଙ୍କ ଯିବା ଆସିବା । କିଏ କେତେବେଳେ ଆସୁଛନ୍ତି ତ ପୁଣି କେତେବେଳେ ଚାଲିଯାଉଛନ୍ତି । କିଛି ଜଣା ପଡୁନି । ଲୋକେ ଜିଲ୍ଲାପାଳଙ୍କ ବାବଦରେ ବୁଝିବା ଓ ଜାଣିବା ପୂର୍ବରୁ ବଦଳୁଛନ୍ତି ଜିଲ୍ଲାପାଳ । ଏମିତି ଚାଲିଛି କୋରାପୁଟ ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା । ୧୨ ବର୍ଷରେ ବଦଳି ସାରିଛନ୍ତି ୧୩ଜଣ ଜିଲ୍ଲାପାଳ ।

ମାତ୍ର ଅଢ଼େଇ ବର୍ଷରେ ବଦଳିଛନ୍ତି ୫ ଜିଲ୍ଲାପାଳ । ସରକାରୀ ନିୟମ ଅନୁସାରେ ଗୋଟିଏ ଜିଲ୍ଲାରେ ଜଣେ ଜିଲ୍ଲାପାଳ ୩ ବର୍ଷ ରହି ପାରିବେ । ଜୁଲାଇ ୧୨ରେ ଜିଲ୍ଲାପାଳ ପୋମା ଟୁଡ଼ୁ ଦାୟିତ୍ୱ ନେଇଥିବା ବେଳେ ମାତ୍ର ୨୩ ଦିନରେ ତାଙ୍କର ବଦଳି ହୋଇଯାଇଛି । କାରାପୁଟ ଜିଲ୍ଲାରେ ବାରମ୍ବାର ଜିଲ୍ଲାପାଳଙ୍କ ବଦଳି ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି, ଜିଲ୍ଲାପାଳଙ୍କ ବଦଳି ପଛର କାରଣ କ’ଣ ? ବାରମ୍ବାର ବଦଳି ବିକାଶର ପରିପନ୍ଥୀ ନୁହେଁ କିି ? କୋରାପୁଟରେ ମାଳି ଖନନକୁ ନେଇ ଜିଲ୍ଲାପାଳ ପୁମା ଟୁଡ଼ୁ କିଛି ସମସ୍ୟାର ସମାଧାନର ସୁତ୍ର ଖୋଜୁଥିବା ବେଳେ ତାଙ୍କର ବଦଳି ହୋଇଥିଲା । ଯାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଜିଲ୍ଲାବାସୀଙ୍କ ବିରୋଧରେ କୌଣସି ଅଭିଯୋଗ ନଥାଇ କାହିଁକି ଏଭଳି ବଦଳି ହେଉଛି ? ବିବାଦୀୟ ନହୋଇ ବି କାହିଁକି ବର୍ଷଟିଏ ବି ରହି ପାରୁନାହାନ୍ତି ଜଣେ ଜିଲ୍ଲାପାଳ ? ଏବଂ କେବେ ସ୍ଥିର ରହିବ କୋରାପୁଟ ଜିଲ୍ଲାପାଳ ପଦବୀ ? ଏବେ ଏମିତି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ଓଡ଼ିଆଙ୍କ ୧୨ ମାସରେ ୧୩ ପରବ ପରି କୋରାପୁଟ ଜିଲ୍ଳାପାଳଙ୍କ ବଦଳି କେବେ ସରିବ, ତାକୁ ହିଁ ଅପେକ୍ଷା ।

କୋରାପୁଟରେ ଜିଲ୍ଲାପାଳଙ୍କ ବାରମ୍ବାର ବଦଳି ଜିଲ୍ଲା ବିକାଶର ଗତି ପଥ ଅବରୋଧ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଥିଲେ ଶୋଭା ଶର୍ମା । କେବଳ ସେ ହିଁ କୋରାପୁଟ ଜିଲ୍ଲାପାଳ ଭାବେ ୩ ବର୍ଷ ପୁରଣ କରିଥିଲେ । ତାଙ୍କ ପରେ ମାତ୍ର ୩ ମାସ ଥିଲେ ମୃଣାଳିନୀ ଦର୍ଶୱାଲ । ଦେଢ଼ବର୍ଷ କୋରାପୁଟ୍ ଦାୟିତ୍ୱ ସମ୍ପାଦନ କରିଛନ୍ତି ଆଇଏଏସ ବାଳକୃଷ୍ଣ ସାହୁ । ୫ ମାସ ପାଇଁ ଥିଲେ ଗଦାଧର ପରିଡ଼ା, ୪ ମାସ ପାଇଁ ବିଚିତ୍ରା ନନ୍ଦ ଦାସ କୋରାପୁଟ ଜିଲ୍ଳାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ । ଗଦାଧର ପରିଡ଼ାଙ୍କ ପାଇଁ ୫ ମାସର କାର୍ଯ୍ୟଭାର ସମ୍ଭାଳିଥିଲେ । ସେହିଭଳି ଆଇଏଏସ ରାଜେସ୍ ପ୍ରଭାକର ପାଟିଲ ଦେଢ଼ ବର୍ଷ, ସଚିନ ରାମଚନ୍ଦ୍ର ଯାଦବ ଅଢ଼େଇ ବର୍ଷ ଏବଂ ଯାମିନୀ ଷଢ଼ଙ୍ଗୀ ୧୪ ମାସ ଜିଲ୍ଳାପାଳ କାର୍ଯ୍ୟ ସମ୍ପାଦନ କରିଥିଲେ ।

୨୦୧୭ ମାର୍ଚ୍ଚରେ କୋରାପୁଟର ଜିଲ୍ଳାପାଳ ଭାବେ ଦାୟିତ୍ୱ ନେଇଥିଲେ ଭ.ଜୟକୁମାର, ଏକ ବିବାଦିୟ ପରିସ୍ଥିତିରେ ତାଙ୍କର ବଦଳି ହେବା ପରେ ଅନୁପମ ସାହାଙ୍କୁ ସେହି ବର୍ଷ ଜିଲ୍ଳାପାଳ ଦାୟିତ୍ୱ ମିଳିଥିଲା । ସେ ବି ବର୍ଷେ ପୁରଣ କରିପାରି ନଥିଲେ । ୨୦୧୮ ଜାନୁଆରିରେ ତାଙ୍କୁ ଗଜପତିକୁ ବଦଳି କରାଯାଇ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ଜିଲ୍ଳାପାଳ କରାଯାଇଥିଲା । ଏହି ଆଇଏସଏସ ଅଧିକାରୀ ମଧ୍ୟ ଦେଢ଼ ବର୍ଷ ପୁରଣ କରିପାରି ନଥିଲେ । ୨୦୧୯ ଜୁଲାଇରେ ତାଙ୍କ ବଦଳି ପରେ ତାଙ୍କ ସ୍ଥାନରେ ପୋମା ଟୁଡ଼ୁଙ୍କୁ ଦାୟିତ୍ୱ ମିଳିଥିଲା, ହେଲେ ସେ ମାତ୍ର ୨୩ ଦିନରେ ହୋଇ ଯିବା ପରେ ବର୍ତମାନ ତାଙ୍କ ସ୍ଥାନରେ ମଧୁସୁଦନ ମିଶ୍ରଙ୍କୁ କୋରାପୁଟ ଜିଲ୍ଳାପାଳ ଭାବେ ଦାୟିତ୍ୱ ମିଳିଛି । ଏଭଳି ଅଢେଇ ବର୍ଷ ଭିତରେ କୋରାପୁଟରେ ୫ ଜଣ ଜିଲ୍ଳାପାଳଙ୍କ ବଦଳି ଲୋକଙ୍କୁ ଅସନ୍ତୁଷ୍ଟ କରିଛି । ଆଦିବାସୀ ବହୁଳ ଅଚଂଳରେ ସମସ୍ୟା ଭରି ହୋଇ ରହିଥିବା ବେଳେ ଜିଲ୍ଳାପାଳଙ୍କ ଏଭଳି ବଦଳି ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।