ଯାଜପୁର ଧର୍ମଶାଳା ଡଙ୍କାରୀ ପାହାଡରେ ଜିଲ୍ଲା ପ୍ରଶାସନର ଚଢାଉ : ଏନଜିଟିଙ୍କ ନିର୍ଦ୍ଦେଶ କ୍ରମେ ୪ଟି ଖାଦାନକୁ ବନ୍ଦ କଲା ପ୍ରଶାସନ, ବେଆଇନ ଭାବେ ଚାଲିଥିଲା ପାହାଡ ଖାଦାନ

56

କନକ ବ୍ୟୁରୋ : ଯାଜପର ଧର୍ମଶାଳା ଡଙ୍କାରୀ ପାହାଡ ଉପରେ ଚଢାଉ । ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ଏନଜିଟିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ୪ ଟି ଖାଦାନକୁ ବନ୍ଦ କରାଯାଇଛି । ବେଆଇନ ଭାବେ ଏଠାରେ ପାହାଡ ଖାଦାନ ଚାଲୁଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଡଙ୍କାରୀ ପାହାଡ଼ରେ ୨୪ରୁ ଊର୍ଧ୍ୱ ଲାଇସେନ୍ସପ୍ରାପ୍ତ ଓ ବେଆଇନ କ୍ରସର କରିଛି । ତେବେ ଏଠାରେ କେନ୍ଦ୍ର ସରକାରଙ୍କ ଏକ ତୈଳ ପ୍ରକଳ୍ପ ହେବ ବୋଲି ସ୍ଥିର ହେବା ପରେ ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହିତ ଏଠାରେ ଥିବା ସମସ୍ତ ଲାଇସେନ୍ସ ପ୍ରାପ୍ତ ଓ ବେଆଇନ କ୍ରସର ବନ୍ଦ ସହିତ ଖଣି ଉତ୍ତୋଳନ ଓ ପରିବହନ କାର‌୍ୟ୍ୟ ବନ୍ଦ କରିବାକୁ କହିଥିଲେ । ମାତ୍ର ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସର୍ବେଶ୍ୱର ବେହେରା ନାମକ ଜଣେ ସମାଜସେବୀ ଜାତୀୟ ଗ୍ରିନ ଟ୍ରିବୁନାଲରେ ଏ ନେଇ ମାମଲା ଦାୟର କରିଥିଲେ ।

ଗତ ୫ ତାରିଖରେ ଜାତୀୟ ଗ୍ରିନ ଟ୍ରିବୁନାଲ ଏ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ଜଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଆଜି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଏସପି ଚରଣ ସିଂହ ମୀନାଙ୍କ ନେତୃତ୍ୱରେ ପୁଲିସ ଓ ରାଜସ୍ୱ ବିଭାଗ ଅଧୀକାରୀମାନେ ଡଙ୍କାରୀ ପାହାଡ଼ ଅଞ୍ଚଳକୁ ଯାଇ ବେଆଇନ କ୍ରସରଗୁଡ଼ିକୁ ବନ୍ଦ କରିବା ସହିତ ସେଠାରେ ଚଢ଼ାଉ ଜାରି ରଖିଛନ୍ତି ।