କାଳିଆ ଆଗରେ ହାତ ଟେକିଦେଲେ ଜିଲ୍ଲାପାଳ ! ଚମତ୍କାର ହେଲା, ହଠାତ୍ ବନ୍ଦ ଲଫାପାରୁ ଚାବି ମିଳିଲା

43

କନକ ବ୍ୟୁରୋ : ହାତ ଟେକିଦେଲେ ଜିଲ୍ଲାପାଳ । ଗତକାଲି ରତ୍ନଭଣ୍ଡାର ଚାବି ମିଳିବା ନେଇ ଜିଲ୍ଲାପାଳ ପ୍ରେସମିଟ୍ କରି ଘୋଷଣା କରିଥିଲେ, ଆଜି ପୁଣି ଏକ ପ୍ରେସମିଟ୍ କରି ଜିଲ୍ଲାପାଳ, ଚାବି ମିଳିବା ଘଟଣା, ଜଗନ୍ନାଥଙ୍କ ଏକ ଚମକ୍ରାର ବୋଲି କହିଛନ୍ତି । ଜିଲ୍ଲାପାଳ କହିଛନ୍ତି, ତାଙ୍କୁ ଯାହା ମିଳିଛି, ସେ ତାହା ଗଣମାଧ୍ୟମରେ କହିଛନ୍ତି । ଏଥିପାଇଁ ଯେକୌଣସି ତଦନ୍ତ ପାଇଁ ସେ ପ୍ରସ୍ତୁତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଚାବି ହଜିବାଠାରୁ ଚାବି ମିଳିବା ଘଟଣା, ଅଧିକ ବିବାଦ ସୃଷ୍ଟି କରିଛି ।

ଶ୍ରୀମନ୍ଦିର ଭିତର ଭଣ୍ଡାର ଚାବି ହଜିଯିବା ଯେମିତି ବଡ ବିବାଦ ସୃଷ୍ଟିି କରିଥିଲା, ତାଠୁ ଅଧିକ ବିବାଦୀୟ ହୋଇପଡ଼ିଛି ଅଚାନକ୍ ଭଣ୍ଡାର ଚାବି ମିଳିବା ପ୍ରସଙ୍ଗ । ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ କୁଆଡୁ ଆସିଲା ଏବଂ ପ୍ରକୃତ ଚାବି ବଦଳରେ ଡୁପ୍ଲିକେଟ୍ ଚାବି କେଉଁଠୁ ଆସିଲା, ତାକୁ ନେଇ ସନ୍ଦେହ ବଢୁଥିବା ବେଳେ ଆଜି ହାତ ଟେକି ଦେଇଛନ୍ତି ଜିଲ୍ଲାପାଳ । ଚାବି ହଜିବା ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସେ ଜଗନ୍ନାଥଙ୍କ ନିକଟରେ ହାତ ଟେକି ଦେଇଥିଲେ । ଆଉ ହଠାତ ରେକର୍ଡ଼ ରୁମରୁ ବନ୍ଦ ଥିବା ଲଫାପାରୁ ମିଳିଥିଲା ରତ୍ନଭଣ୍ଡାର ଚାବି ।

ratna bhnadarଗୋଟିଏ ମାସରୁ ଅଧିକ ସମୟ ଧରି ଭଣ୍ଡାର ଚାବିକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ୍ ଚାଲିଥିବା ବେଳେ ଅଚାନକ୍ ବୁଧବାର ଚାବି ମିଳିବା ଖବର ଆସିଲା । ହେଲେ ତାହା ସେହି ହଜିଥିବା ଚାବି ନଥିଲା । ଯାହାଫଳରେ ଏହି ବିବାଦରେ ଯୋଡି ହୋଇଗଲା ଏକ ନୂଆ ଫର୍ଦ୍ଦ । ଏବେ ରେକର୍ଡ ରୁମରୁ ମିଳିଥିବା ଚାବି ଏକ ଲଫାପା ଭିତରେ ରହିଛି । ଆଉ ଲଫାପା ଉପରେ ଲେଖା ରହିଛି ‘ଡୁପ୍ଲିକେଟ୍ ଭିତର ଭଣ୍ଡାର ଚାବି । ଯାହାକୁ ଜଉମୁଦ ଲାଗଇ ସିଲ୍ କରାଯାଇଛି । ଏହାକୁ ଭିତର ଭଣ୍ଡାର ତାଲାରେ ଖୋଲିବାକୁ ଚେଷ୍ଟା କଲେ ହିଁ ଜଣାପଡ଼ିବ ଯେ, ପ୍ରକୃତରେ ଏହା ଭିତର ଭଣ୍ଡାର ଚାବି କି ନୁହେଁ ।

ratnaଚାବିକୁ ନେଇ ବିଭିନ୍ନ ସମୟରେ ଜିଲ୍ଲାପାଳ ରଖିଥିବା ମନ୍ତବ୍ୟ ହିଁ ତାଙ୍କୁ ଏବେ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି । ହେଲେ ଜିଲ୍ଲାପାଳ ଯେକୌଣସି ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହୁଛନ୍ତି । ଜିଲ୍ଲାପାଳ ପୂର୍ବରୁ ଏପ୍ରିଲ ୪ ତାରିଖରେ ଚାବି ଟ୍ରେଜରୀରେ ନଥିବା କଥା କହିଥିଲେ । ଯାହାକୁ ନେଇ ପୁଣିଥରେ ବିବାଦ ଦେଖାଦେଇଥିଲା । ଏସବୁ ଭିତରେ ଏବେ ପୁରା ଘଟଣାର ତଦନ୍ତ କରିବେ କମିଶନ, ହଜିଥିବା ଚାବି ଏବଂ ମିଳିଥିବା ଚାବିର ହେବ ଛାନବିନ୍ । ବନ୍ଦ ଲଫାପା ଭିତରେ ଥିବା ଚାବି ସତରେ କ’ଣ ଭଣ୍ଡାର ଘର ଚାବି ନା’ ଏହା ପଛରେ ଆଉ କିଛି ରହସ୍ୟ ଅଛି ତାହା ସାମ୍ନାକୁ ଆସିବ ।ବଡ କଥା ହେଉଛି- ଯେଉଁ ଭଣ୍ଡାର ଚାବିକୁ ନେଇ ରାଜ୍ୟବ୍ୟାପୀ ଏକ କ୍ଷୋଭର ବାତାବରଣ ସୃଷ୍ଟି ହୋଇଛି, ତାରି ଭିତରେ ଚାବିକୁ ନେଇ ଆସୁଥିବା ନୂଆ ନୂଆ କାହାଣୀ ସମସ୍ତଙ୍କୁ ଆହୁରି ବିଚଳିତ କରୁଛି ।