ବୃଦ୍ଧାଙ୍କ ପାଇଁ ଭଗବାନ ପାଲଟିଲେ ଜିଲ୍ଲାପାଳ! ଘରକୁ ଆସିଲେ,ଖାଦ୍ୟ ଖାଇଲେ ଏବଂ ଉପହାର ସ୍ୱରୁପ ଦେଇଗଲେ ଏହି ଖୁସି । 

48

ତାମିଲନାଡୁର ତ୍ରିଚିରେ ରହୁଥିବା ଜଣେ ୮୨ବର୍ଷୀୟା ବୃଦ୍ଧା ତାଙ୍କ ଛୋଟ ଭଙ୍ଗା କୁଡ଼ିଆ ଘରେ ଜିଲ୍ଲାପାଳଙ୍କୁ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଏତେ ବଡ଼ ଲୋକ ପୁଣି ତାଙ୍କ କୁଡିଆ ଘରକୁ ଆସିଥିବା ଜାଣି ସେ ଯେତିକି ଖୁସି ହୋଇଥିଲେ ସେତିକି ଭୟଭୀତ ବି। କାରଣ ଜିଲ୍ଲାପାଳଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ଘରେ କିଛି ନଥିଲା। ବୃଦ୍ଧାଙ୍କ ଏଭଳି ବିଚଳିତ ଅବସ୍ଥା ଦେଖି ଜିଲ୍ଲାପାଳ ତାଙ୍କୁ ଶାନ୍ତ ରହିବାକୁ କହିବା ସହିତ ଆସିବାର କାରଣ ଜଣାଇଥିଲେ।

 

ଚିନ୍ନମାଲନିକିକେନ୍ ପଟ୍ଟିସ୍ଥିତ ଏକ ଭଙ୍ଗା କୁଡ଼ିଆରେ ବସବାସ କରୁଥିଲେ ୮୨ବର୍ଷୀୟା ବୃଦ୍ଧା। ଏହି ବୃଦ୍ଧାଙ୍କ ଘରେ ପହଞ୍ଚିଥିଲେ ଜିଲ୍ଲାପାଳ ଟି ଅମ୍ବାଜଗେନ୍। କେବଳ ଯେ ପହଞ୍ଚିଥିଲେ ତାହା ନୁହେଁ ଜିଲ୍ଲାପାଳ ନିଜ ଘରେ ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନକୁ ସାଥୀରେ ନେଇ ବୃଦ୍ଧାଙ୍କ କୁଡ଼ିଆକୁ ଯାଇଥିଲେ। ଜିଲ୍ଲାପାଳଙ୍କୁ କୁଡ଼ିଆରେ ଦେଖି ବୃଦ୍ଧା ଆଶ୍ଚର୍ୟ୍ୟ ହୋଇଯାଇଥିଲେ ଓ ଆସିବାର କାରଣ ପଚାରିଥିଲେ। ଏହାପରେ ଜିଲ୍ଲାପାଳ ଖାଇବା ଥଳିକୁ ବୃଦ୍ଧାଙ୍କ ହାତକୁ ବଢ଼ାଇ ଦେଇଥିଲେ। ବୃଦ୍ଧା ଦୁଇଟି କଦଳୀ ପତ୍ର ଆଣି ଉକ୍ତ ଖାଇବାକୁ ଦୁଇଟି ଭାଗରେ ବାଣ୍ଟିଥିଲେ। ଗୋଟିଏ ପତ୍ରରେ ଜିଲ୍ଲାପାଳଙ୍କ ପାଇଁ ଓ ଅନ୍ୟଟିରେ ନିଜ ପାଇଁ। ବୃଦ୍ଧାଙ୍କ ସହିତ ମିଶି ଖାଇବା ପରେ ଜିଲ୍ଲାପାଳ ଅଧିକାରୀଙ୍କୁ ବୃଦ୍ଧାଙ୍କ ପେନସନ୍ ଅର୍ଡର ଦେଇଥିଲେ। ସୂଚନାଯୋଗ୍ୟ, ଏକ ଜନ ଶୁଣାଣି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ କି ଉକ୍ତ ମହିଳା ବହୁ କଷ୍ଟରେ ଜୀବନ କାଟୁଛନ୍ତି। ଲୋକମାନେ ଜିଲ୍ଲାପାଳଙ୍କୁ ଏହି ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଜିଲ୍ଲାପାଳ ମହିଳାଙ୍କ ଦୁଃଖ ଦୂର କରିବା ପାଇଁ ତାଙ୍କ ଛୋଟ ଭଙ୍ଗା କୁଡ଼ିଆରେ ଆସି ପହଞ୍ଚିଥିଲେ।

ଜିଲ୍ଲାପାଳଙ୍କ କହିବାନୁସାରେ, ମହିଳାଙ୍କ ବୟସ ୮୨ବର୍ଷ ହେତୁ ସେ କୌଣସି କାମ କରିବା ପରିସ୍ଥିତିରେ ନାହାନ୍ତି। ତେଣୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜିଲ୍ଲା ପ୍ରଶାସନ ଏଭଳି ଲୋକଙ୍କ ପାଇଁ ପେନସନ୍ ସ୍କିମ୍ ଜରିଆରେ ସାହାଯ୍ୟ କରିବା ପାଇଁ ଯୋଜନା କରୁଛି। ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ପେନସନ୍ ସ୍କିମ୍ ସହିତ ଅଟକି ଥିବା ସମସ୍ତ କାମକୁ ଖୁବ୍ ଶୀଘ୍ର ଶେଷ କରାଯାଉ।