ପ୍ରଶାସନକୁ ଲୋକାଭିମୁଖୀ କରାଇବାକୁ ବାବୁଙ୍କ ନୂଆ ଫଣ୍ଡା । ସାଇକେଲରେ ବୁଲୁଛନ୍ତି ଗାଁକୁ ଗାଁ

35

କନକ ବ୍ୟୁରୋ : ଜିଲ୍ଲାର ସର୍ବୋଚ୍ଚ ଅଧିକାରୀ । ହାତ ପାହାନ୍ତାରେ ସବୁ ସୁବିଧା । ସରକାର ଯୋଗାଇଦେଇଛନ୍ତି ଦାମୀ ଗାଡି । କିନ୍ତୁ ପ୍ରଶାସନକୁ କ୍ରିୟାଶୀଳ କରାଇବା ପାଇଁ ସାଇକେଲରେ ବୁଲୁଛନ୍ତି ସରକାରୀ ବାବୁ । ଗାଁକୁ ଗାଁ ଯାଉଛନ୍ତି । ଲୋକଙ୍କ କଥା ବୁଝିବା ସହ ସମସ୍ୟାର ସମାଧାନ କରୁଛନ୍ତି ।
ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ । ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସକାଳୁ ସକାଳୁ ୨୫ କିଲୋମିଟର ସାଇକେଲ ଚଳାଇ ବିଭିନ୍ନ କାମର ଅନୁଧ୍ୟାନ କରିଛନ୍ତି । ସକାଳେ ସେ ହୁମା ମନ୍ଦିର ଯାଇ ସମସ୍ତ କାମର ଅନୁଧ୍ୟାନ କରିଥିଲେ । ଏହାସହ ରାସ୍ତାରେ ପଡୁଥିବା ବିଭିନ୍ନ ଗାଁକୁ ଯାଇଥିଲେ । ପରେ ଡଙ୍ଗାରେ ପାର ହୋଇ ନଦୀର ଆରପାଟକୁ ଯାଇ ସେଠାରେ ବିଭିନ୍ନ କାମର ଅନୁଧ୍ୟାନ କରିଥିଲେ ।

ବରିଷ୍ଠ ଅଧିକାରୀମାନେ ଅଫିସ କାମ ପାଇଁ ସରକାରୀ ଗାଡି ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ସାଇକେଲରେ ବୁଲି ବିଭିନ୍ନ କାମର ତଦାରଖ କରିବା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ । ତାଙ୍କର ଏପରି ମହତ ଉଦ୍ଦେଶ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ପୂର୍ବରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ସାଇକେଲରେ ସଚିବାଳୟକୁ ଯାଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ସଂଜୀବ ଆରୋରା ହୁମା ଅଂଚଳକୁ ସାଇକେଲରେ ଯାଇଥିଲେ । ଯିବା ବାଟରେ ପଡୁଥିବା ଗାଁ କୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ । ହୁମାକୁ ଯାଇ ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟମମୂଳକ କାର୍ଯ୍ୟର ତଦାରଖ କରିଥିଲେ । କିଛିଦିନ ପୂର୍ବରୁ ଜିଲ୍ଲାପାଳ ନକ୍ସାପାଲି ଗାଁ ର ପ୍ରାଥମିକ ବିଦ୍ୟାଳୟରେ ଗଣିତ ପଢାଇଥିଲେ । ସେହି ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦେଖିବା ସହ ଜଣେ ଶିକ୍ଷକଙ୍କ ଅନୁପସ୍ଥିତି ନେଇ ତାଗିଦ କରିଥିଲେ ।

ସେହିପରି କିଛିଦିନ ଆଗରୁ ନୟାଗଡ଼ ଜିଲ୍ଲାପାଳ ସାଇକେଲରେ ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଜିଲ୍ଲାପାଳ ଅରିନ୍ଦମ ଡାକୁଆ କାହାକୁ କିଛି ନଜଣାଇ ସାଇକେଲ ଧରି ଜିଲ୍ଲା ଭ୍ରମଣରେ ବାହାରିଥିଲେ । ସକାଳ ସାଢେ ୬ଟାରୁ ସାଇକେଲରେ ଯାତ୍ରା ଆରମ୍ଭ କରି ଜିଲ୍ଲାର ସମସ୍ୟା ବାବଦରେ ଲୋକଙ୍କଠାରୁ ପଚାରି ବୁଝିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ଯେ, ସାଇକେଲ ଚଳାଇ ଯାଉଛନ୍ତି ସେଥିପ୍ରତି କାହାର ନିଘା ବି ନଥିଲା । ନୟାଗଡ଼ର ଓଡଗାଁରୁ ୧୩ କିଲୋମିଟର ଶରଣକୁଳରେ ପହଂଚିବା ପରେ ପ୍ରଘଟ ହୋଇଥିଲା କଥା ।ସୂଚନା ମୁତାବକ, ଗୁରୁବାର ଦିନ କାହାକୁ କିଛି ନ ଜଣାଇ ପୁରା ବ୍ୟକ୍ତିଗତ ଭାବରେ ସାଇକେଲ ଧରି ଜିଲ୍ଲାପାଳ ବାହାରିଥିଲେ ଭ୍ରମଣରେ । ସକାଳ ସାଢେ ୬ ରୁ ଆରମ୍ଭ କରିଥିଲେ ଯାତ୍ରା । ୧୧ କିଲୋମିଟର ମହିପୁର ପରେ ନୂଆଗାଁ ୨୧ କିଲୋମିଟର । ସେଠାରୁ ବରକୋଳା ଦେଇ ୧୭ କିଲୋମିଟର ପରେ ବାହାଡାଝୋଲା ଆଉ ୧୨ କିଲୋମିଟର ପରେ ଓଡଗାଁ । ସାଧାରଣ ଲୋକ ଭଳି ରାସ୍ତାରେ ଚାଲିଥାଏ ତାଙ୍କ ଭ୍ରମଣ । ଜିଲ୍ଲାପାଳ ଯେ ସାଇକେଲ ଚଳାଇ ଯାଉଥିଲେ ସେଥିପ୍ରତି କାହାର ନିଘା ବି ନଥିଲା । କେହି ବି ଭାବୁ ନଥିଲେ ଇଏ ଜିଲ୍ଲାପାଳ ନୁହଁନ୍ତି ତ ? ଓଡଗାଁରୁ ୧୩ କିଲୋମିଟର ଶରଣକୁଳ ପହଂଚିବା ପରେ ପ୍ରଘଟ ହୋଇଥିଲା କଥା ।

ଜିଲ୍ଲାପାଳଙ୍କୁ ଚିହ୍ନିଥିବା ଜଣେ ଫଟୋଗ୍ରାଫର ରାସ୍ତାରେ ସାଇକେଲ ଚଳାଇ ଯାଉଥିବା ଦେଖିଦେଇଥିଲେ ଆଉ ନିଜ କ୍ୟାମେରାରେ ଜିଲ୍ଲାପାଳଙ୍କ ଯାତ୍ରାର ଦୃଶ୍ୟକୁ କ୍ୟାପଚର କରିଥିଲେ । ହେଲେ ଜିଲ୍ଲାପାଳ କହିଲେ ନିଜକୁ ଫିଟ ରଖିବା ପାଇଁ ଆପଣାଇଛନ୍ତି ଏଭଳି ଫଣ୍ଡା । ଆଗରୁ କିଛି ବାଟ ସାଇକେଲରେ ଯାଉଥିବା ବେଳେ ଛୁଟିଦିନ ଯୋଗୁଁ ଆପଣାଇଦେଲେ ଲମ୍ବା ରେସ । ଆଉ ବିଭିନ୍ନ ସରକାରୀ ଯୋଜନାର କାର୍ୟ୍ୟକାରୀତା ସଂପର୍କରେ ଜାଣିବା ପାଇଁ ଏହା ମଧ୍ୟ ଏକ ଅଭିନବ ଉପାୟ ବୋଲି କହିଛନ୍ତି ଜିଲ୍ଲାପାଳ ।ଦିନ ସାଢେ ଦଶଟା ବେଳକୁ ୭୬ କିଲୋମିଟର ବାଟ ଅତିକ୍ରମ କରି ନିଜ କ୍ୱାର୍ଟରରେ ପହଂଚିଥିଲେ ଜିଲ୍ଲାପାଳ । ହେଲେ ପୁରା ଗସ୍ତରେ ଦେଖିଥିଲେ କିଛି ଅବ୍ୟବସ୍ଥାର ବାସ୍ତବତା । ସ୍ୱଚ୍ଛ ଭାରତ ମିଶନର ବିଫଳତା ସାଙ୍ଗକୁ ପାନୀୟ ଜଳର ବ୍ୟାପକ ଦୁରୁପଯୋଗ । ତା ସହ ଶରଣକୁଳ ନୟାଗଡ ରାସ୍ତା ମରାମତିରେ ଅହେତୁକ ବିଳମ୍ବ । ଏସବୁ ତୃଟି ବିଚ୍ୟୁତି ଲକ୍ଷ୍ୟ କରିବା ପରେ ନେଇଥିଲେ ଆବଶ୍ୟକୀୟ ପଦକ୍ଷେପ । ସଂପୃକ୍ତ ବିଭାଗମାନଙ୍କୁ ଦେଇ ଥିଲେ କଡା ନିର୍ଦ୍ଦେଶ ।

ବାସ୍ତବିକ ଜଣେ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ ବିକାଶରେ ସହାୟକ ହେବ । ତା ସହ ବାରମ୍ବାର ବିଭିନ୍ନ ଗାଁକୁ ଗସ୍ତକରି ଲୋକଙ୍କ ସହ ଯୋଡିହେବାର ପ୍ରୟାସ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବା ସହ ପ୍ରଶାସନକୁ ନିକଟତର କରାଇବ । ସାଇକେଲରେ ବି ବୁଲି ନିଜ ଜିଲ୍ଲାର ସମସ୍ୟା ଜାଣିବା ସହ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଂଚି ପାରୁଛି କି ନାହିଁ ଜାଣିବା ପାଇଁ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ ପ୍ରଶଂସନୀୟ ।