ଚର୍ଚ୍ଚାରେ ସରକାରୀ ବାବୁଙ୍କ ଶୀତଳ ଯୁଦ୍ଧ! ଚ୍ୟାମ୍ବର  ଖୋଲା ନ ହେବାରୁ ବାହାରେ ଛିଡା ହେଲେ ଅତିରିକ୍ତ ଜିଲ୍ଲାପାଳ

342

କନକ ବ୍ୟୁରୋ : ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟରେ ଶୀତଳ ଯୁଦ୍ଧ । ଚାମ୍ବରରେ ତାଲା, ବାହାରେ ଠିଆ ହେଲେ ଅତିରିକ୍ତ ଜିଲ୍ଲାପାଳ । ମାଲକାନଗିରିରେ ଦୁଇ ବଡ ଅଧିକାରୀଙ୍କ ଭିତରେ ଲାଗିଥିବା ବିବାଦ ଚର୍ଚାରେ ରହିଛି । ତେବେ ବିବାଦର କାରଣ କଣ? କାହିଁକି ବଡ ଅଧିକାରୀଙ୍କ ଭିତରେ ଚାଲିଛି ବିବାଦ?

ମାଲକାନଗିରିରେ ପ୍ରଶାସନିକ ସ୍ତରେ ବିବାଦ ଥମିବାର ନାଁ ଧରୁ ନାହିଁ । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଚର୍ଚା ହେଉଛି । ଅତିରିକ୍ତ ଜିଲ୍ଲାପାଳ ଭାବେ ଅଯୋଧ୍ୟାକାନ୍ତ ଶତପଥୀ ଦାୟିତ୍ୱରେ ନେଇଥିବା ବେଳେ ତାଙ୍କ ଚ୍ୟାମ୍ବର ଖୋଲାଯାଇ ନାହିଁ । ଫଳରେ ଦୀର୍ଘ ସମୟ ଧରି ବାହାରେ ସେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଏଡିଏମଙ୍କୁ ନେଇ ଏହି ବିବାଦ ଦୀର୍ଘ ଦିନରୁ ଲାଗି ଆସିଛି । ଯେବେଠାରୁ ସେ  ମାଲକାନଗିରି ଏଡିଏମ ଭାବେ ଦାୟିତ୍ୱ ନେଲେ ସେତେବେଳୁ ହିଁ ଏପରି ବିବାଦ ଆରମ୍ଭ ହୋଇଥିଲା । କୁହାଯାଏ, ପ୍ରଥମ ଦିନରୁ ହିଁ ଏଡିଏମ ସ୍ୱତନ୍ତ୍ର ଗାଡି, ସଶସ୍ତ୍ର ସୁରକ୍ଷାକର୍ମୀ, ଉପଯୁକ୍ତ ସରକାରୀ ବାସଭବନ ଦାବି କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ । କିଛି ମାସ ତଳେ ସରକାରୀ ଗାଡି ମିଳିଲା ନାହିଁ ବୋଲି କହି ଚାଲି ଚାଲି ସେ ଅଫିସକୁ ଆସିଥିବା ଦେଖିବାକୁ ମିଳିଥିଲା । ଏହା ସହ ଜିଲ୍ଲାପାଳଙ୍କୁ ନଜଣାଇ ସେ ଜିଲ୍ଲାର ବହୁ ବିଡିଓଙ୍କ ବଦଳିକୁ ସ୍ୱୀକୃତି ଦେଇଥିଲେ ବୋଲି ମଧ୍ୟ ଅଭିଯୋଗ ହୁଏ ।

ଏପରିକି ଗତ ୭ ତାରିଖରେ ତାଙ୍କର ବଦଳି ହୋଇଥିବା ବେଳେ ଜିଲ୍ଲାପାଳଙ୍କୁ ନଜଣାଇ ସେ ନିଜ ନୂଆ କାର୍ଯ୍ୟସ୍ଥଳି ରାୟଗଡାକୁ ଯାଇଥିଲେ  । କିନ୍ତୁ ନିର୍ବାଚନ କମିଶନ ଏହି ବଦଳିକୁ ସ୍ଥଗିତ କରିବା ପରେ ଅଯୋଧ୍ୟାକାନ୍ତ ଶତପଥୀ ପୁଣି ମାଲକାନଗିରି ଫେରିଛନ୍ତି । ତଥାପି ଜିଲ୍ଲାର ପ୍ରଶାସନ ସ୍ତରରେ ଥିବା ବିବାଦ ଥମୁନାହିଁ । ମାଲକାନଗିରି ଜିଲ୍ଲାପାଳ ଛୁଟିରେ ଥିବା ଯୋଗୁଁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ । ହେଲେ ବଡ ବଡ ଅଧିକାରୀଙ୍କ ଭିତରେ ଚାଲିଥିବା ଏଭଳି ଏକ ବିବାଦ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।