ଆଧାର ନଥିଲେ ବି ରାସନ୍‌ ମିଳିବ ! କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

36

କନକ ବ୍ୟୁରୋ : ଯେଉଁ ଲୋକମାନଙ୍କର ଆଧାର ନମ୍ବର ନାହିଁ କିମ୍ବା ଯେଉଁମାନେ ନିଜ ରାସନ କାର୍ଡକୁ ଆଧାର ସହିତ ସଂଯୋଗ କରିନାହାନ୍ତି ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଜରିଆରେ ପ୍ରଦାନ କରାଯାଉଥିବା ଖାଦ୍ୟଶସ୍ୟ ଦେବାକୁ ମନା କରନାହିଁ ବୋଲି କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକୁ କହିଛନ୍ତି । ଯେଉଁମାନେ ଏହି ନିର୍ଦେଶନାମା ପାଳନ ନକରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି । ଆଧାର ନଥିବା ବାହାନାରେ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅନାହିଁ ବୋଲି ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି ।

ଖାଦ୍ୟ ଅଭାବରେ ଝାଡ଼ଖଣ୍ଡରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଖବର ସାରା ଦେଶରେ ପ୍ରସାରିତ ହେବା ପରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଏହି ନିର୍ଦେଶ ଦେଇଛନ୍ତି । ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମାରେ କୁହାଯାଇଛି ଯେ କେବଳ ସନ୍ଦେହରେ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅନାହିଁ । ଉପଯୁକ୍ତ ଯାଞ୍ଚ ପରେ ପଦକ୍ଷେପ ଗ୍ରହଣ କରିବାକୁ ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ।

ପିଡିଏସ୍‌ ବ୍ୟବସ୍ଥାରେ କାମ କରୁଥିବା ଅଧିକାରୀମାନେ ଏହା ନିଶ୍ଚିତ କରିବା ଦରକାର ଯେ ଯେଉଁମାନଙ୍କ ପାଖରେ ଆଧାର ନାହିଁ ସେମାନଙ୍କୁ ଯେଭଳି କୌଣସି ପରିସ୍ଥିତିରେ ଖାଦ୍ୟଶସ୍ୟ ଦେବାକୁ ମନା କରାଯିବ ନାହିଁ । ଏଭଳି ହିତାଧିକାରୀମାନଙ୍କ ବିଷୟରେ ଏକ ଅଲଗା ପୁସ୍ତିକାରେ ତଥ୍ୟ ସଂରକ୍ଷିତ ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି ।

ମୋବାଇଲ୍‌ ମାମଲାର ଶୀଘ୍ର ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ –

ମୋବାଇଲ୍‌ ନମ୍ବର ସହିତ ଆଧାରକୁ ବାଧ୍ୟତାମୂଳକ ଭାବେ ସଂଯୋଗ କରିବା ପାଇଁ ଟେଲିକମ୍‌ ବିଭାଗ ଯେଉଁ ବିଜ୍ଞପ୍ତି ଜାରି କରିଥିଲା ତାହାକୁ ବିରୋଧ କରି ଆଗତ ହୋଇଥିବା ମାମଲାର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏହି ମାମଲାର ଜରୁରୀକାଳୀନ ଶୁଣାଣି କାହିଁକି କରାଯିବ ବୋଲି ବିଚାରପତି ଜେ ଚେଲମେଶ୍ୱର ଏବଂ ଏସ୍‌ ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଆଇନଜୀବୀଙ୍କୁ ପ୍ରଶ୍ନ କରିଛନ୍ତି । ଆଧାର ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠରେ ଜାରି ରହିଛି । ଚଳିତ ମାସ ୩୦ରେ ସେହି ମାମଲାର ଶୁଣାଣି କରାଯିବ। ତେଣୁ ଆସନ୍ତାକାଲି ମୋବାଇଲ୍‌ ନମ୍ବର-ଆଧାର ମାମଲାର ଶୁଣାଣି କରିବା ଏତେ ଜରୁରୀ ନୁହେଁ ବୋଲି କୋର୍ଟ ପରୋକ୍ଷରେ ଜଣାଇ ଦେଇଛନ୍ତି ।

ମୋବାଇଲ୍‌ ନମ୍ବର-ଆଧାର ସଂଯୋଗ ପାଇଁ ଟେଲିକମ୍‌ ବିଭାଗ ଯେଉଁ ବିଜ୍ଞପ୍ତି ଜାରି କରିିଛନ୍ତି ତାହାକୁ ରଦ୍ଦ କରିବା ପାଇଁ ନିର୍ଦେଶ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଦେଶରେ ଥିବା ପୁରୁଣା ମୋବାଇଲ୍‌ ଗ୍ରାହକଙ୍କ ପରିଚୟ ଯାଞ୍ଚ କରିବା ପାଇଁ ବର୍ଷକ ଭିତରେ ଏକ ଉପଯୋଗୀ ବ୍ୟବସ୍ଥା ଗ୍ରହଣ କରିବାକୁ ଚଳିତ ବର୍ଷ ଫେବ୍ରୁଆରି ୬ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ । ଯେହେତୁ ବ୍ୟାଙ୍କିଙ୍ଗ କାରବାରରେ ମୋବାଇଲ୍‌ ନମ୍ବର ବ୍ୟବହାର ହେଉଛି ତେଣୁ ସବୁ ମୋବାଇଲ୍‌ ଗ୍ରାହକଙ୍କ ପରିଚୟ ଯାଞ୍ଚ କରାଯିବା ଆବଶ୍ୟକ ହୋଇପଡ଼ିଛି ।

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ମାଗିଲା ଆଧାର ତଥ୍ୟ –

କ୍ଲାଏଣ୍ଟ୍‌ ମାନଙ୍କର ଆଧାର ତଥ୍ୟ ସଂଗ୍ରହ କରିବା ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ପକ୍ଷରୁ ବ୍ରୋକରମାନଙ୍କୁ କୁହାଯାଇଛି । ମନି ଲଣ୍ଡରିଂ ନିୟମ ଲାଗୁ କରିବା ପରେ କ୍ଲାଏଣ୍ଟ୍‌ମାନଙ୍କ ଆଧାର ତଥ୍ୟ ହାସଲ କରିବା ପାଇଁ ବ୍ରୋକରଙ୍କୁ କୁହାଯାଇଛି । ଆଧାର ତଥ୍ୟ ସଂଗ୍ରହ କରିବା ପାଇଁ କ’ଣ ପ୍ରସ୍ତୁତି କରିଛ? କେତେ କ୍ଲାଏଣ୍ଟ୍‌ ରହିଛନ୍ତି? କେତେ ଜଣ କ୍ଲାଏଣ୍ଟ୍‌ ଆଧାର ବିବରଣୀ ଦାଖଲ କରିଛନ୍ତି ? ଏହି ସବୁ ପ୍ରଶ୍ନର ଉତ୍ତର ଦାଖଲ କରିବା ପାଇଁ ବିଏସ୍‌ଇ ପକ୍ଷରୁ ବ୍ରୋକରମାନଙ୍କୁ ଏକ ସର୍କୁଲାର ଜାରି କରି କୁହାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହି ସବୁ ସୂଚନା ପ୍ରଦାନ କରିବା ପାଇଁ ବ୍ରୋକରମାନଙ୍କୁ କୁହାଯାଇଛି । ଷ୍ଟକ୍‌ ମାର୍କେଟ ଜରିଆରେ ହେଉଥିବା ମନି ଲଣ୍ଡରିଂ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।