ଖସୁଛି ରାତି ଓ ଦିନର ପାରଦ : ଦାରିଙ୍ଗିବାଡ଼ିରେ ୧୩ଡିଗ୍ରୀ, ବାଲେଶ୍ୱରରେ ୧୪ଡିଗ୍ରୀ

22

କନକ ବ୍ୟୁରୋ :  ସାରା ଓଡ଼ିଶାରେ ଏବେ ଶୀତର ରାଜୁତି। ରାତି ସହିତ ଦିନର ପାରଦ ଖସୁଛି। ଉତ୍ତର ପଶ୍ଚିମ ଦିଗରୁ ବହୁଛି ଥଣ୍ଡା ପବନ। ସେହି ପବନ ଦେହକୁ କାଲୁଆ କରିଦେଉଛି। ଆଉ ଦୁଇଦିନ ଭିତରେ ସର୍ବନିମ୍ନ ତାପମାତ୍ରା ଆଉ ୨ଡିଗ୍ରୀ ତଳକୁ ଖସିବ। ନଭେମ୍ବର ୩୦ ସୁଦ୍ଧା ୪ଡିଗ୍ରୀ ପର୍ୟ୍ୟନ୍ତ ପାରଦ ତଳକୁ ଖସିପାରେ। ବର୍ତମାନ ଉପକୂଳବର୍ତୀ ଅଧିକାଂଶ ସ୍ଥାନରେ ଶୀତ ସେତେଟା ଅନୁଭୂତ ହେଉନାହିଁ। କିନ୍ତୁ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଏବେ ପ୍ରଚଣ୍ଡ ଥଣ୍ଡା।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ବୟାନ କରୁଛି ଯେ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଫଳରେ ପାରଦ ତଳକୁ ଖସିବ। ୨୫ ସୁଦ୍ଧା ପାରଦ ୨ଡିଗ୍ରୀ କମିବ ଓ ୩୦ ତାରିଖ ସୁଦ୍ଧା ୪ଡିଗ୍ରୀପର୍ଯ୍ୟନ୍ତ କମିପାରେ। ଆଜି ଯେଉଁ ମାତ୍ରାରେ ସର୍ବନିମ୍ନ ତାପମାତ୍ରା କମିଛି, ସ୍ୱାଭାବିକ ପରିମାଣ ତୁଳନାରେ ଏହା ହାରାହାରି ୨ରୁ ୩ଡିଗ୍ରୀ। ଅଧିକାଂଶ ସ୍ଥାନରେ ଏଭଳି ଧାରା ଦେଖିବାକୁ ମିଳିଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବର୍ତମାନ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଛି। ଥଣ୍ଡା ପବନ ସିଧାସଳଖ କେନ୍ଦ୍ରୀୟ ଭାରତ ଦେଇ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରୁଛି। ବର୍ତମାନ ସାମୁଦ୍ରିକ ବାୟୁର ଗତି ଅତ୍ୟନ୍ତ ମନ୍ଥର ଥିବାରୁ ଥଣ୍ଡା ପବନ ଉପକୂଳକୁ ପ୍ରବେଶ କରିବାରେ କୌଣସି ବାଧା ନାହିଁ।

ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ହୀରାକୁଦରେ ୧୩.୩ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ବାରିପଦାରେ ୧୩.୮ଡିଗ୍ରୀ, ବାଲେଶ୍ୱରରେ ୧୪ଡିଗ୍ରୀ, କେନ୍ଦୁଝରରେ ୧୪.୪ଡିଗ୍ରୀ, ଫୁଲବାଣୀରେ ୧୪.୬ଡିଗ୍ରୀ, ସୁନ୍ଦରଗଡ଼ରେ ୧୫ଡିଗ୍ରୀ, ଝାରସୁଗୁଡ଼ା, ଢେଙ୍କାନାଳରେ ୧୫.୬ଡିଗ୍ରୀ, କଟକରେ ୧୬ଡିଗ୍ରୀ, ସମ୍ବଲପୁରରେ ୧୬.୧ଡିଗ୍ରୀ, ଭୁବନେଶ୍ୱର, ଅନୁଗୁଳ, ଚାନ୍ଦବାଲିରେ ୧୬.୬ଡିଗ୍ରୀ, ତାଳଚେରରେ ୧୭.୩ଡିଗ୍ରୀ, ଭବାନୀପାଟଣାରେ ୧୭.୫ଡିଗ୍ରୀ, ବଲାଙ୍ଗୀରରେ ୧୮ଡିଗ୍ରୀ, ପାରାଦୀପରେ ୧୮.୪ଡିଗ୍ରୀ, କୋରାପୁଟ, ଟିଟିଲାଗଡ଼ରେ ୧୮.୫ଡିଗ୍ରୀ, ସୋନପୁରରେ ୧୯ଡିଗ୍ରୀ, ପୁରୀରେ ୧୯.୪ଡିଗ୍ରୀ, ଗୋପାଳପୁରରେ ୧୯.୯ଡିଗ୍ରୀ ରହିଛି। ଅନ୍ୟପକ୍ଷରେ ଉପକୂଳର ୫ଟି ସ୍ଥାନ ସମେତ ୧୫ଟି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୩୦ଡିଗ୍ରୀ ତଳେ ରହିଛି।