ପୁଣି ଫେରିଲା ଶୀତ! ସନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ ଥରାଇବ, ୨୦ ତାରିଖ ଯାଏଁ ପ୍ରବଳ ଶୀତ

175

କନକ ବ୍ୟୁରୋ : ପୁଣି ଫେରିଲା ଶୀତ । ଗତ ଦୁଇ ତିନି ଦିନ ଧରି ପୂରା ଗାଏବ ହୋଇଯାଇଥିବା ଶୀତ ପୁଣିଥରେ ଲେଉଟାଣି କରିଛି । ଉପକୂଳରୁ ଉପାନ୍ତ ହେଉ ଅଥବା ଫୁଲବାଣୀରୁ ବାଲେଶ୍ବର। ସବୁଠି ପାରଦ ଖସୁଛି। ଦୁଇ ଦିନରେ ସବୁ ସହରରେ ରାତିର ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆସନ୍ତା ୨୦ ତାରିଖ ଯାଏ ଏଭଳି ସ୍ଥିତି ଲାଗିରହିବ। ଥଣ୍ଡାରେ ଅସ୍ତବ୍ୟସ୍ତ ହେବ ସାରା ଓଡ଼ିଶା।

ସନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ ଥରାଇବ। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ପରିସ୍ଥିତି ସାଂଘାତିକ ହେବ। ଶୀତ ପୂର୍ବ ଅବସ୍ଥାକୁ ଫେରିବ। ଗୋଟିଏ ଦୁଇଟି ସ୍ଥାନରେ ତୁଷାରପାତ ହେବାର ଆଶଙ୍କା ରହିଛି। ଦାରିଙ୍ଗବାଡ଼ି, ଫୁଲବାଣୀ, ଅନୁଗୁଳରେ ପୂର୍ବ ଭଳି ସ୍ଥିତି ଉପୁଜିପାରେ। ପାରଦ ସର୍ବନିମ୍ନସ୍ତରକୁ ଛୁଇଁବ। ରାତିର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଦିନର ତାପମାତ୍ରା କିନ୍ତୁ ବଢ଼ିବ।

Comments are closed.