ଆସନ୍ତା ୩ରୁ ୪ ଦିନ ଯାଏ ଓଡ଼ିଶାରେ ଅନୁଭୂତ ହେବ ହାଲୁକା ଥଣ୍ଡା : ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ରାତିର ତାପମାତ୍ରା

442

କନକ ବ୍ୟୁରୋ : ଆସନ୍ତା ୩ରୁ ୪ ଦିନ ଯାଏ ଓଡ଼ିଶାରେ ହାଲୁକା ଥଣ୍ଡା ଅନୁଭୂତ ହେବ। ରାତିର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ କମିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ଗୋଟିଏ ଡିଗ୍ରି ଖସିବ। ତେବେ ୮ ତାରିଖ ‌ବେଳକୁ ଥଣ୍ଡା ପୁଣି ପୂର୍ବ ସ୍ଥିତିକୁ ଫେରିବ। ଅଧିକ ଅନୁଭୂତ ହେବ ନାହିଁ ‌ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଦାରିଙ୍ଗବାଡ଼ିରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇପାରେ। ସୁନ୍ଦରଗଡ଼, ଅନୁଗୁଳ ଓ କୋ‌ରାପୁଟରେ ବି ପାରଦ ଖସିବ। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଫୁଲବାଣୀରେ ୧୦, କୋରାପୁଟରେ ୧୨.୪, ଟିଟିଲାଗଡ଼ରେ ୧୨.୬, ସୁନ୍ଦରଗଡ଼ରେ୧୩, ସୋନପୁରରେ ୧୪, ଅନୁଗୁଳରେ ୧୪, ଝାରସୁଗୁଡ଼ାରେ ୧୪.୬, ଭବାନୀପାଟଣାରେ ୧୪.୬ ଡିଗ୍ରି ରହିଥିଲା।