ଶୀତରେ ଥରହର ହେଉଛି ଦାରିଙ୍ଗବାଡ଼ି ! ପାରା ହ୍ରାସ ପାଇ ୪ ଡିଗ୍ରି ଛୁଇଁଲା

104

କନକ ବ୍ୟୁରୋ : ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ମଙ୍ଗଳବାର ପାରା ହ୍ରାସ ପାଇ ୪ ଡିଗ୍ରି ଛୁଇଁଛି । ସେହିପରି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ମଧ୍ୟ ତାପମାତ୍ରା ଆଜି କମିଛି । ଏଠାରେ ମଙ୍ଗଳବାର ତାପମାତ୍ରା ୪.୫ ଡିଗ୍ରିରେ ପହଂଚିଛି । ଦାରିଙ୍ଗବାଡ଼ିରେ ସୋମବାର ତାପମାତ୍ରା ୨.୮ ଥିଲା । ସେହିପରି ଫୁଲବାଣୀର ତାପମାତ୍ରା ସୋମବାର ୩ ଡିଗ୍ରି ଥିଲା । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶୀତ ଲହରୀ ପ୍ରାୟ ଏକ ସପ୍ତାହ ପର‌୍ୟ୍ୟନ୍ତ ଜାରି ରହିବ ।

Source:odishanews.com

ସାରା ରାଜ୍ୟରେ ଲୋକେ ଶୀତରେ ଥରୁଛନ୍ତି । କିଛି ଦିନ ତଳେ ଲୋକଙ୍କୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଶୀତ ପୁଣିଥରେ ଲେଉଟିଛି । ଦିନକୁ ଦିନ ଶୀତର ପ୍ରକୋପ ଆହୁରି ବଢୁଛିି । କନ୍ଧମାଳ ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ଲୋକେ ଥଣ୍ଡା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ବୟସ୍କ ନାଗରିକଙ୍କ ପାଇଁ ଶୀତ ଆହୁରି ଦାଉ ସାଜିଛି । ବୟସ୍କ ବ୍ୟକ୍ତିମାନେ ପାଣିକୁ ଭୟ କରୁଥିବା ବେଳେ ନିଆ ପାଖରେ ବସିବାକୁ ଭାରି ଭଲ ପାଉଛନ୍ତି । ଭୋର ସକାଳୁ ଏବଂ ସନ୍ଧ୍ୟାରେ ଗ୍ରାମାଂଚଳର ଲୋକେ ନିଆ ଶାଳ ପ୍ରସ୍ତୁତ କରୁଛନ୍ତି, ଯେଉଁଠାରେ ବୟସ୍କ ବ୍ୟକ୍ତିମାନେ ଆସ୍ଥାନ ଜମାଉଛନ୍ତି ।

କନ୍ଧମାଳରେ ରବିବାର ତୁଷାରପାତ ଦେଖାଯାଇଥିଲା । ଲୋକଙ୍କୁ ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି । ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି । ସୂର୍ଯ୍ୟ ନଇଁଲେ ଲୋକଙ୍କ ଚିନ୍ତା ବଢ଼ିଯାଉଛି ।