ଉତ୍ତର ଭାରତରେ ଶୀତର ଲହରୀ ! ଜାମ୍ମୁକାଶ୍ମୀର, ସିମଲାରେ ବରଫପାତ ଜାରି, ୪ ଡିଗ୍ରୀ ଛୁଇଁଲା ଦିଲ୍ଲୀ ତାପମାତ୍ରା ।

108

କନକ ବ୍ୟୁରୋ : ବରଫ ଚାଦର ତଳେ ଜାମ୍ମୁ କାଶ୍ମୀର  । ଦେଶର ଅଧିକାଂଶ ଭାଗରେ ଏବେ ଶୀତର ଲହରୀ  । କେଉଁଠି ନିଆଁ ପାଲଟିଛି ସାହାରା ତ ପୁଣି କେଉଁଠି ବରଫର ମୋଟା ଆସ୍ତରଣ ଭିତରେ ପାଗର ମଜା ନେଉଛନ୍ତି ପର୍ଯ୍ୟଟକ  । ଅନ୍ୟପଟେ ପ୍ରବଳ ଶୀତରେ ଜୀବନହାନି ପରି ଖବର ବି ସାମ୍ନାକୁ ଆସିଛି  । ଦେଶରେ ଶୀତର ଲହରୀ ଜାରି ରହିଛି । ବିଭିନ୍ନ ରାଜ୍ୟରେ ତାପମାନ ହ୍ରାସ ପାଇବାରୁ ରାସ୍ତାସାରା କୁହୁଡିମୟ ହୋଇଯାଉଛି ।

ବରଫ ଚାଦର ତଳେ ସାରା ଭାରତ । ତଳକୁ ଖସୁଛି ତାପମାତ୍ରା । ଡରାଉଛି ଜାଡ । ଦିଲ୍ଲୀ ସମେତ ଉତ୍ତର ଭାରତରେ ଥଣ୍ଡାର ପ୍ରକୋପ  । ଦେଶର ବିଭିନ୍ନ ରାଜ୍ୟରେ ତାପମାନ ହ୍ରାସ ପାଇବାରୁ ଶୀତର ଲହରୀ ଜାରି ରହିଛି । ଥଣ୍ଡା ସାଙ୍ଗକୁ ତୁଷାରପାତ ଲୋକଙ୍କ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇପଡିଛି ।

ତୁଗଲକ ରୋଡରେ ସକାଳୁ ସକାଳୁ ପୁରା କୁହୁଡିରେ ଘେରିଯାଇଛି । ପରିସ୍ଥିତି ଏପରି ହୋଇଛି ଯେ ଶହେ ମିଟର ଦୂରରେ ଥିବା ଲୋକ ମଧ୍ୟ ଦୃଶ୍ୟମାନ ହେଉନାହାନ୍ତି । ସେପଟେ ରାତିର ଦୃଶ୍ୟ ଆହୁରି ଚିନ୍ତାଜନକ । ଫୁଟପାଥରେ ରହୁଥିବା ଲୋକ ଶୀତ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଥଣ୍ଡାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଥିବା ବେଳେ ନିଆଁ ପାଲଟିଛି ସାହାରା  ।

ସେହିପରି ପ୍ରୟାଗରାଜରେ କୁମ୍ଭମେଳା ଆୟୋଜିତ ହେବାକୁ ଥିବା ବେଳେ ସାଧୁସନ୍ଥ ବହୁ ଆଗରୁ ଡେରା ପକାଇଛନ୍ତି । ଅସ୍ଥାୟୀ ଶିବିର ସମ୍ମୁଖରେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଉଛନ୍ତି ସାଧୁସନ୍ଥ  । ଅନ୍ୟପଟେ ସକାଳୁ ସକାଳୁ ଚା ଦୋକାନର ପସରା ଓ ମର୍ଣ୍ଣି ୱାର୍କ ଲୋକଙ୍କ ଭିଡ ଦୃଶ୍ୟ ନଜର ଆସିଛି । ମଣିଷ ତ ମଣିଷ ଠାକୁର ବି ଥରୁଛନ୍ତି ଶୀତରେ । ଦେବଭୂମି ଅଯୋଧ୍ୟାରେ ଠାକୁରଙ୍କୁ ଶୀତ ନହେବା ପାଇଁ ମନ୍ଦିରରେ ଶୀତବସ୍ତ୍ର ସହ କୋଇଲା ଆଂଚର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ  ।

ଉତ୍ତରାଖଣ୍ଡର ହିଲଷ୍ଟେସନ୍ ସିମଲା  । ଗଛ, ଘର ଓ କାର ଉପରେ ବରଫର ମୋଟା ଆସ୍ତରଣ  । ବରଫ ଚାଦର ତଳେ ସିମଲା ଘୋଡ଼େଇ ହୋଇ ରହିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି  । ସମୁଦାୟ ଭାବେ ବରଫପାତ ସିମଲାକୁ ଆହୁରି ସୁନ୍ଦର କରିଦେଇଛି  । ସେପଟେ ବରଫର ଚାଦର ତଳେ ଜମ୍ମୁ କାଶ୍ମୀର । ଅନେକ ସ୍ଥାନର ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଚାଲିଯାଇଥିବା ବେଳେ ଲଗାତାର ତୁଷାରପାତ ଜାରି ରହିଛି । ରାସ୍ତାଘାଟ ଠାରୁ ନେଇ ସବୁ ସ୍ଥାନରେ ବରଫର ଆସ୍ତରଣ । ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଅନ୍ୟପଟେ ଏହି ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଭାରତର ଭୂସ୍ୱର୍ଗ କୁହାଯାଉଥିବା ଜାମ୍ମୁ କାଶ୍ମୀରରେ ଦେଶବିଦେଶରେ ପଂହଚିବାରେ ଲାଗିଛନ୍ତି ପର୍ଯ୍ୟଟକ ।