ସୁନାର ଫସଲ ପାଇଁ ନାହିଁ ଶୀତଳ ଭଣ୍ଡାର ! ଅମଳ ବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ

49

କନକ ବ୍ୟୁରୋ : ବଜାରରେ ଶୀତଳ ଭଣ୍ଡାର ଅଭାବର ପ୍ରଭାବ । ଜଗତସିଂହପୁରରେ ଉତ୍ପାଦିତ୍ୟ ଦ୍ରବ୍ୟର ସଂରକ୍ଷଣ ପାଇଁ ବ୍ୟବସ୍ଥା ନଥିବାରୁ ଶାଗମାଛ ଦରରେ ବିକ୍ରି ହେଉଛି ପରିବା । ରକ୍ତକୁ ପାଣି କରି ମାଟି ସହ ମାଟି ହୋଇ ସୁନା ଫସଲ ଫଳେଇଲେ ବି ଚାଷୀର ପେଟ ପୂରୁନି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଜଗତସିଂହପର ଜିଲ୍ଲାର ଶତକଡା ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ପ୍ରାୟତଃ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ପରିତାପର ବିଷୟ, ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି ସହ ଜୁଝି ହୋଇ ଜମିରେ ସୁନାର ଫସଲ ଫଳାଇଥିବା ଚାଷୀ, ଅମଳ ବେଳେ ଅଭାବ ବିକ୍ରିର ଶିକାର ହେଉଛି । କରଣ ସଂରକ୍ଷଣ ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ । ଏକକାଳୀନ ଅଧିକ ଅମଳ ହେଲେ ରଖିବା ପାଇଁ ବିକଳ୍ପ ନଥିବାରୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ ।

୨୫ ବର୍ଷ ତଳେ ଜଗତସିଂହପୁର ଯୋଗଧାରୀ ନିକଟରେ ନିର୍ମାଣ ହେଇଥିବା ଶୀତଳ ଭଣ୍ଡାର ଏବେ ଜରାଜିନ୍ନ । ଯାହାର ପ୍ରଭାବ ସିଧାସଳଖ ମାର୍କେଟ ଉପରେ ପଡିଛି । ଟମାଟେ କିଲୋ ପିଛା ୨ ରୁ ୫ ଟଙ୍କା, ବାଇଗଣ ୧୦ ରୁ ୧୫ ଟଙ୍କା, ଭେଣ୍ଡି ୨୦ ଟଙ୍କାରେ ବିକ୍ରି କରି କ୍ଷତି ସହୁଛି ଚାଷୀ । ଜିଲ୍ଲାରେ ଫସଲ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିଲେ ବଜାର ଦର ନିୟନ୍ତ୍ରଣରେ ଥାନ୍ତା ବୋଲି ଚାଷୀ କହୁଥିବା ବେଳେ ଶୀତଳ ଭଣ୍ଡାର ପାଇଁ ସରକାରଙ୍କୁ ଜଣାଇଥିବା କହିଛନ୍ତି ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ । ଚାଷୀଙ୍କ ଆର୍ଥିକ କ୍ଷତି କ୍ଷତି ରୋକିବା ସହ ଖାଉଟିଙ୍କ ସୁବିଧା ପାଇଁ ସରକାର ଜଗତସିଂହପୁର ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରିବା ଜରୁରୀ ହୋଇପଡିଛି ।