ଉତ୍ତରା ପବନ ଯୋଗୁଁ ଥଣ୍ଡା ବଢ଼ୁଛି । ଦାରିଙ୍ଗିବାଡ଼ିରେ ୧୪ଡିଗ୍ରୀ, ଆଉ ୧୧ ସ୍ଥାନରେ ୨୦ଡିଗ୍ରୀ ତଳେ

37

କନକ ବ୍ୟୁରୋ: ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଏହା ସହିତ ରାଜ୍ୟର ଆଉ ୧୧ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ଖସିଛି ୨୦ଡିଗ୍ରୀ ତଳକୁ । ରବିବାରଠାରୁ ଉତ୍ତର ଦିଗରୁ ଓଡ଼ିଶାକୁ ବହୁଥିବା ଥଣ୍ଡା ପବନ ପ୍ରକୋପରେ ଏଭଳି ଥଣ୍ଡା ଅନୁଭୂତ ହେଉଛି । କେବଳ ସର୍ବନିମ୍ନ ନୁହେଁ, ସର୍ବୋଚ୍ଚ ତାପମାତ୍ରା ଅର୍ଥାତ ଦିନବେଳାର ତାପମାନ ବି କମିବ । ଦିନେ ଦୁଇଦିନ ଭିତରେ ଏହା ଆହୁରି ୨ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଉତ୍ତର ଦିଗରୁ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି । ଦୁଇଦିନ ତଳେ ପବନର ବେଗ ଘଣ୍ଟାକୁ ମାତ୍ର ୪/୫ କି.ମି. ଥିଲା । କିନ୍ତୁ ଗତକାଲି ଏହା ୮/୧୦ କି.ମି.କୁ ବୃଦ୍ଧି ପାଇଛି । ତଦନୁଯାୟୀ ଥଣ୍ଡାର ପରିମାଣ ବି ବଢ଼ିଛି । ଦକ୍ଷିଣ ପଶ୍ଚିମ ଦିଗରୁ ସାମୁଦ୍ରିକ ବାୟୁର ଗତ ସେତେଟା ଅଧିକ ନାହିଁ । ଏହା ଓଡ଼ିଶା ଭିତରକୁ ଥଣ୍ଡା ପବନ ପଶିବାରେ ସହାୟକ ହେଉଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗତ ୩/୪ ଦିନ ହେଲା ଟ୍ରଫ୍ ଲାଇନ ଥିଲେ ବି ତା’ର ପ୍ରଭାବ ଅନୁଭୂତ ହେଉନାହିଁ । ଏଣୁ ରାଜ୍ୟର ଅଧିକାଂଶ ସ୍ଥାନ ଶୁଖିଲା । ଏଣୁ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଥଣ୍ଡା ଆହୁରି ବଢ଼ିବ ଏବଂ ୧ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରା ଆହୁରି ୨ଡିଗ୍ରୀ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଗତକାଲି ଦାରିଙ୍ଗିବାଡ଼ିକୁ ଛାଡ଼ିଦେଲେ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୪ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ହୀରାକୁଦରେ ୧୪.୬ଡିଗ୍ରୀ , କୋରାପୁଟରେ ୧୫.୪ଡିଗ୍ରୀ , ଭବାନୀପାଟଣାରେ ୧୬ଡିଗ୍ରୀ , ଝାରସୁଗୁଡ଼ାରେ ୧୬.୪ଡିଗ୍ରୀ , କେନ୍ଦୁଝରରେ ୧୬.୫ଡିଗ୍ରୀ, ସମ୍ବଲପୁରରେ ୧୭.୫ଡିଗ୍ରୀ, ସୁନ୍ଦରଗଡ଼ରେ ୧୮ଡିଗ୍ରୀ, ଅନୁଗୁଳ ଏବଂ ଟିଟିଲାଗଡ଼ରେ ୧୯ଡିଗ୍ରୀ, ବଲାଙ୍ଗୀରରେ ୧୯.୫ଡିଗ୍ରୀ ରହିଛି । ସର୍ବୋଚ୍ଚ ତାପମାତ୍ରା ୨୯ଡିଗ୍ରୀରୁ ସର୍ବାଧିକ ୩୪.୫ଡିଗ୍ରୀ ରହିଛି ।