୧୨ ତାରିଖରୁ ବଢିପାରେ ଶୀତ ! ଆସନ୍ତାକାଲିଠୁ ଦକ୍ଷିଣ ଓ ଉପକୂଳ ଓଡିଶାରେ ଘନ କୁହୁଡି ସମ୍ଭାବନା

32

କନକ ବ୍ୟୁରୋ : ସାରା ରାଜ୍ୟରେ ଶୀତର ଲହରୀ । ରାତିକୁ ରାତି ତାପମାତ୍ରା ରେକର୍ଡ ଭାଙ୍ଗୁଛି । ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରାରେ ପହଁଚିଛି ପାରଦ । ଦାରିଙ୍ଗିବାଡିରେ ସର୍ବନିମ୍ନ ୩ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ଏହି ଶୀତ ଲହରୀ  ଆଉ କିଛି ଦିନ ଲାଗି ରହିବ । ଏପରିକି ୧୨ ତାରିଖରୁ ଶୀତର ପ୍ରଭାବ ଅଧିକ ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହା ସହ ଆସନ୍ତାକାଲି ଠାରୁ ପ୍ରାୟ ୩ ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡିଶାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ । ରାଜ୍ୟର ୧୪ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ କମ୍ ରେକର୍ଡ କରାଯାଇଥିବା ଜଣାପଡିଛି ।

winterସମଗ୍ର ଉତର ଭାରତରେ ଏବେ ଶୀତ ଲହରୀ ଜାରି ରହିଛି । ପ୍ରବଳ ଥଣ୍ଡା ଯୋଗୁଁ ଗତ ୨୪ ଘଂଟା ମଧ୍ୟରେ କେବଳ ଉତରପ୍ରଦେଶରେ ୭୦ଜଣଙ୍କର ମୃତ୍ୟୁ ହୋଇଛି । ଉତରାଖଣ୍ଡ, ହିମାଚଳ ଓ କଶ୍ମୀରର କେତେକ ସ୍ଥାନରେ ପାରଦ ଶୂନ ଡିଗ୍ରୀ ତଳକୁ ଖସି ଆସିଛି ।ଅନେକ ସ୍ଥାନରେ ପାଣି ବରଫ ପାଲଟି ଯାଇଛି । ଫଳରେ ସମସ୍ୟା ଉପୁଜିଛି ।

ହିମାଚଳ ଓ କଶ୍ମୀରରେ ପ୍ରବଳ ବରଫପାତ ହେଉଛି । ଉତରାଖଣ୍ଡ, ହିମାଚଳରେ ପ୍ରବଳ ବରଫପାତ ଜାରି ରହଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହାଡଥରା ଶୀତ ଓ କୁହୁଡି ଯୋଗୁଁ ଲୋକେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ପରିବହନ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।