ଆସନ୍ତା ୯ ତାରିଖ ବେଳକୁ ରାଜ୍ୟରେ ବହିବ ହେମାଳିଆ ପବନ ! ବଢ଼ିବ ଥଣ୍ଡାର ପ୍ରକୋପ

52

କନକ ବ୍ୟୁରୋ : ତାମିଲନାଡ଼ୁରେ ଲଘୁଚାପ ଜନିତ ବର୍ଷା ହୋଇଛି, ଯଦ୍ୱାରା ଉପକୂଳ, ଦକ୍ଷିଣ ଓଡ଼ିଶାରେ ଭରିଯାଇଛି ଜଳୀୟବାଷ୍ପ  । ଫଳରେ ତାପମାତ୍ରା ସାମାନ୍ୟ ବଢ଼ିଛି । ଏବେ ବାୟୁମଣ୍ଡଳରେ କେତେକାଂଶରେ ଜଳୀୟବାଷ୍ପ ରହିଛି । ଏହାର ପ୍ରଭାବରେ ଗତ ଦୁଇଦିନ ହେଲା ଥଣ୍ଡା ସାମାନ୍ୟ କମିଛି । ତେବେ ଦିନେ ଦୁଇଦିନ ଭିତରେ ଜଳୀୟବାଷ୍ପ ସଂପୂର୍ଣ୍ଣ ଶୁଖିଯିବ ଓ ପାଗ ଶୁଖିଲା ରହିବ । ଫଳରେ ସମଗ୍ର ରାଜ୍ୟରେ ଥଣ୍ଡା ବଢ଼ିବାକୁ ଆରମ୍ଭ କରିବ । ୯ ତାରିଖ ବେଳକୁ ହେମାଳିଆ ପବନ ବହିଲେ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେବ ।

ଗତକାଲି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସୂଚନାନୁସାରେ ଗତକାଲି ଭଳି ଆଜି ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ବଢ଼ିଛି । କିନ୍ତୁ ଅପରିବର୍ତିତ ରହିଛି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା । ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବର୍ତମାନ ବାୟୁମଣ୍ଡଳରେ ୫୦ ପ୍ରତିଶତ ପାଖାପାଖି ଜଳୀୟବାଷ୍ପ ରହୁଛି ।

ଏହା ସଂପୂର୍ଣ୍ଣ ରୂପେ ଉଭେଇ ଯାଇ ପାଗ ଶୁଖିଲା ହେଲେ ଥଣ୍ଡା ବଢ଼ିବ । ତାଙ୍କ ପୂର୍ବାନୁମାନ ଅନୁଯାୟୀ ଆଗାମୀ ୯ ତାରିଖରେ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସୃଷ୍ଟି ହେବ । ଫଳରେ ଉତ୍ତର ପୂର୍ବ ଦିଗରୁ ପବନ ଅଧିକ ବେଗରେ ଓଡ଼ିଶାକୁ ବହିବ । ଏହି ପବନ ହେମାଳିଆ ହୋଇଥିବାରୁ ଏହାର ପ୍ରଭାବରେ ଥଣ୍ଡାର ପ୍ରକୋପ ବଢ଼ିବ । ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୧୩.୫° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ୧୫°, କୋରାପୁଟରେ ୧୬.୪° ରେକର୍ଡ ହୋଇଛି । ସେହିପରି ୧୫ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୨୦° ତଳେ ରହିଛି ।