୨୮ରୁ ହାଡଭଙ୍ଗା ଶୀତ ! କନ୍ଧମାଳରେ ଖସୁଛି ପାରଦ, ବଢୁଛି ଶୀତ

60

କନକ ବ୍ୟୁରୋ: ଆସନ୍ତା ୨୮ ତାରିଖରୁ ସାରା ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ କମିବ । ସେତେବେଳକୁ କେବଳ ପଶ୍ଚିମ ନୁହେଁ, ଉପକୂଳରେ ବି ଶୀତ ଲହରୀ ବହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ତାଙ୍କ ସୂଚନାନୁସାରେ, ୨୮/୨୯ ତାରିଖ ବେଳକୁ ତାମିଲନାଡ଼ୁ ଉପକୂଳକୁ ଲଘୁଚାପ ପାଖେଇ ଆସିବାର ସମ୍ଭାବନା ରହିଛି । ଲଘୁଚାପ ଜନିତ ପାଗ ଉପୁଜିଲେ ତା’ର ପ୍ରଭାବରେ ରାଜ୍ୟ ଭିତରକୁ ଥଣ୍ଡା ପବନ ଅଧିକ ବେଗରେ ବହିବାର ସମ୍ଭାବନା ଅଧିକ । ଫଳରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ଯାଏଁ କମିବ।

ଅନ୍ୟପଟେ, ଶୀତରେ ଥରୁଛି କନ୍ଧମାଳ । ପାରଦ ୧୧ ଡିଗ୍ରୀକୁ ଖସି ଆସିଥିବା ବେଳେ ଘନ କୁହୁଡି ପଡୁଛି । କୁହୁଡି ଓ ଥଣ୍ଡା ସକାଳ ୧୦ଟା ଯାଏଁ ରହୁଛି । ଶୀତରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗରମ ପୋଷାକ ପିନ୍ଧିବା ସହ ଲୋକେ ନିଆଁ ପୁଏଁଇ ଶୀତ ଦାଉରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି । ପ୍ରବଳ ଶୀତ ଯୋଗୁଁ ଲୋକଙ୍କ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଶୀତର ପ୍ରକୋପ ବେଶ ରହିଛି କନ୍ଧମାଳର ଫୁଲବାଣୀ, ବାଲିଗୁଡା, ଜି.ଉଦୟଗିରି ଓ ଦାରିଂବାଡିରେ ।

କୋରପୁଟରେ ବି ଶୀତର ପହିଲି ପରଷ ପଡିଛି । କିଛି ଦିନର ଉଷ୍ମତା ପରେ ଆସିଛି ଶୀତ । ଶୀତକୁ ନେଇ ପରିବେଶ ହୋଇଛି ସବୁଜ ସୁନ୍ଦର । ପାହାଡ଼ି ବନାନୀ ଶୀତ କାକରର ଚାଦରରେ ଘୋଡ଼େଇ ହୋଇଥିବା ଦେଖିବାକୁ ମିଳୁଛି । ଏହି ପରିବେଶ କୁ ଉପଭୋଗ କରିବା ପାଇଁ ସକାଳୁ ସକାଳୁ ଜିଲ୍ଳା ବାସୀ ବ୍ୟାୟାମ କରିବା ସହ ଶୀତ ଦାଉରୁ ଉଷ୍ମତା ପାଇବା ପାଇଁ କିଏ ଚା ପିଉଛି ତ କିଏ ନିଆଁ ଜାଳି ମଜା ଉଠାଉଛନ୍ତି । ବିଭିନ୍ନ ପ୍ରଜାତିର ଫୁଲ ସାଙ୍ଗକୁ ମୁଖ୍ୟତ ଅଳସୀ ଫୁଲର ସୌନ୍ଦର୍ୟ୍ୟ ଆକର୍ଷଣ ପାଲଟିଛି । ସକାଳୁ ସକାଳୁ ଘନ କୁହୁଡି ପଡିବା ସହ ଥଣ୍ଡା ପବନ ମଧ୍ୟ ବହୁଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି କିଏ ନେଉଛି ଶୀତର ମଜା ତ କିଏ ପାଉଛି ଶୀତରୁ ମୁକ୍ତି ।

ତେବେ ଗତାକଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ହୀରାକୁଦରେ ୧୦.୨ଡିଗ୍ରୀ, ଫୁଲବାଣୀରେ ୧୦.୫ଡିଗ୍ରୀ, କେନ୍ଦୁଝରରେ ୧୧.୪ଡିଗ୍ରୀ, ଝାରସୁଗୁଡ଼ାରେ ୧୧.୫ଡିଗ୍ରୀ, ଅନୁଗୁଳରେ ୧୨.୬ଡିଗ୍ରୀ, ବାରିପଦାରେ ୧୩ଡିଗ୍ରୀ, ସମ୍ବଲପୁରରେ ୧୩.୩ଡିଗ୍ରୀ, ଭବାନୀପାଟଣାରେ ୧୩.୫ଡିଗ୍ରୀ, କଟକରେ ୧୩.୮ଡିଗ୍ରୀ, ସୁନ୍ଦରଗଡ଼ରେ ୧୪ଡିଗ୍ରୀ, ଚାନ୍ଦବାଲିରେ ୧୪.୩ଡିଗ୍ରୀ, ବଲାଙ୍ଗୀର, ଭୁବନେଶ୍ୱରରେ ୧୪.୪ଡିଗ୍ରୀ, ଟିଟିଲାଗଡ଼, କୋରାପୁଟରେ ୧୪.୫ଡିଗ୍ରୀ, ସୋନପୁରରେ ୧୪.୮ଡିଗ୍ରୀ ରହିଛି ।