ଶୀତର କୋଳରେ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି ! ଦିନରେ ୨୫, ରାତିରେ ୧୩ ଡିଗ୍ରୀ ତଳେ ପାରଦ

123

କନକ ବ୍ୟୁରୋ : ଓଡିଶାର କାଶ୍ମୀରରେ ଶୀତର ଅନୁଭବ ଖୁବ୍ ନିଆରା । ତା’ ସାଙ୍ଗକୁ ପ୍ରକୃତିର ସୌନ୍ଦର୍ଯ୍ୟ ଲୋକଙ୍କୁ ବିମୋହିତ କରୁଛି । ଦାରିଙ୍ଗବାଡ଼ିରେ ଥିବା ପାଇନ୍ ଜଙ୍ଗଲ, କଫି ବଗିଚା, ଜଳ ପ୍ରପାତ ଦେଖିବା ପାଇଁ ପର୍ଯ୍ୟଟଙ୍କ ଗହଳି ଆରମ୍ଭ ହୋଇଗଲାଣି । ଦିନରେ ତାପମାତ୍ରା  ୨୫ଡ଼ିଗ୍ରୀ ତଳେ ରହୁଥିବା ବେଳେ ରାତିରେ ଖସୁଛି ପାରଦ ।

ପହିଲି ଶୀତର ରକ୍ତିମ ସୂର୍ଯ୍ୟସ୍ତ । ସବୁଜ ଘାସ ଗାଲିଚା ଓ ଗୋଲାପ ଫୁଲରେ କାକର ବିନ୍ଦୁ । ଓଡିଶାର କାଶ୍ମୀର କୁହାଯାଉଥିବା ବଣ ପାହାଡ ଘେରା ଦାରିଙ୍ଗବାଡିର ସୌନ୍ଦର୍ଯ୍ୟକୁ ଆହରୁ ସୁନ୍ଦର କରୁଛି । ଏହାରି ଭିତରେ ଥଣ୍ଡାର ମଜା ନେବା ସହ ପ୍ରକୃତିର ସୌନ୍ଦଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ଦାରିଙ୍ଗବାଡିରେ ରାତି କାଟିବା ପରେ କାକର ଭିଜା ସକାଳ ପର୍ଯ୍ୟଟକଙ୍କ ମନ ଜିଣୁଛି । ଦାରିଙ୍ଗବାଡିର ହିଲ୍ ଭିୟୁ, ପାଇନ୍ ଜଙ୍ଗଲ, କଫି ବଗିଚା, ଜଳ ପ୍ରପାତ ବୁଲି ଦେଖୁଛନ୍ତି ।

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଦିନ ବେଳେ ତାପମାତ୍ରା ୨୫ ଡିଗ୍ରୀ ତଳେ ରହୁଥିବା ବେଳେ ଦିନ ୩ଟା ପରଠାରୁ ଏହା ଧିରେ ଧିରେ କମୁଛି । ସଂଧ୍ୟା ୫ଟା ପରଠାରୁ ଏଠାରେ ଶୀତ ଅନୁଭୁତ ହେଉଥିବା କୁହନ୍ତି ପର୍ଯ୍ୟଟକ । ରାତିରେ ପ୍ରାୟ ୧୩ ଡିଗ୍ରୀ ତଳକୁ ଖସି ଯାଉଛି ପାରଦ । ଆଉ ଶୀତୁଆ ସକାଳର ପ୍ରାକୃତିକ ପରିବେଶରେ ସେଲଫି ନେଇ ଦାରିଙ୍ଗବାଡି ଗସ୍ତକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି ପର୍ଯ୍ୟଟକ । ଦାରିଙ୍ଗବାଡିକୁ ଗମନା ଗମନ ସୁବିଧା ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକ ଶୀତକୁ ଅନୁଭବ କରିବା ପାଇଁ ଓଡିଶାର କାଶ୍ମୀରକୁ ବାଛିଥାନ୍ତି ।