୧୦୦ ଦିଅ, ୮୦ ନିଅ ! ନୟାହାଟ ଫାଣ୍ଡି ସାମ୍ନାରେ ଚାଲିଛି ଖୁଚୁରା କଏନ ବ୍ୟବସାୟ, ଲକ୍ଷାଧିକ ଟଙ୍କାର କଏନ ଜବତ ପରେ ସାମାନାକୁ ଆସିଲା ତଥ୍ୟ

59

କନକ ବ୍ୟୁରୋ : ବେଧଡକ ଚାଲିଛି ଖୁଚୁରା ବେପାର । ୧୦୦ ଟଙ୍କାର କଏନ ଦେଲେ ବଦଳରେ ମିଳୁଛି ୮୦ ଟଙ୍କା । ଗତକାଲି ନୟାହାଟରୁ ଲକ୍ଷାଧିକ ଟଙ୍କାର କଏନ ଜବତ ପରେ ଏଭଳି ଘଟଣା ସାମନାକୁ ଆସିଛି । କିଛ ପାନ ବ୍ୟବସାୟୀ ଏଭଳି କାରବାର କରୁଥିବା ବେଳେ ଏଭଳି ଠକାମୀର ଶିକାର ହେଉଛନ୍ତି କିଛି ଗରୀବ ଶ୍ରେଣୀର ଲୋକ । ଆଉ କମିସନ ନେଇ ମାଲାମାଲ ହେଉଛନ୍ତି ଦଲାଲ ।

କଏନ ଦିଅ ନୋଟ ନିଅ । ୧୦୦ ଟଙ୍କା ଖୁଚୁରା ଦେଲେ ମିଳୁଛି ୮୦ ଟଙ୍କା । ଆଉ ୨୦ ଟଙ୍କାର କମିସନ ନେଉଛନ୍ତି ଦଲାଲ । ନିଆଳି, ନୟାହାଟର ପାନ ହାଟରେ ଚାଲିଛି ଏମିତି ଖୁଚୁରା ବ୍ୟବସାୟ । ଦୀର୍ଘ ଦିନ ହେବ ନୟାହାଟରେ ଖୁଚୁରା ଅଦଳ ବଦଳର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ଏଭଳି ବ୍ୟବସାୟ ଚାଲିଛି । ଅଧିକାଂଶ ବ୍ୟାଙ୍କ ଖୁଚୁରା ନେଉନଥିବା ବେଳେ ଅଧିକାଂଶ ଚାଷୀ ଏଭଳି ଠକାମୀର ଶିକାର ହେଉଥିବା ଅଭିଯୋଗ କହିଛନ୍ତି ।

ନୟାହାଟ ଫାଣ୍ଡି ସମ୍ମୁଖରେ ଏଭଳି ମହାଜନୀ ସୁଧାକର ସାଂଗକୁ ଚାଲିଛି ଖୁଚୁରା ବେପାର । ପାନ ବ୍ୟବସାୟୀ ମାନେ ଅସାଧୁ ଉପାୟରେ ଏଭଳି ବେପାର କରି ମାଲାମାଲ ହେଉଛନ୍ତି । କିନ୍ତୁ ପୁଲିସ ସବୁ ଜାଣି ବି ଚୁପ । ଗତକାଲି ନୟାହାଟ ଅଂଚଳରୁ ଲକ୍ଷାଧିକ ଟଙ୍କାର କଏନ ଜବତ କରିଥିଲା ପୁଲିସ । ନୟାହାଟରୁ ଏହି କଏନ ତିରୁପତି ଓ ରାଉରକେଲାକୁ ପଠାଯାଉଥିବା ପୁଲିସ କହିଛି ।ନୟାହାଟର ପାନ ବଜାରରେ ଏଭଳି ଖୁଚୁରା ବ୍ୟବସାୟ ଯୋଗୁଁ ଚାଷୀ ପ୍ରଭାବିତ ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଅନେକ ରହସ୍ୟ ପଦାକୁ ଆସନ୍ତା ।