ଅଭାବୀ ବିକ୍ରି ନେଇ ଚିନ୍ତାରେ ନଡିଆ ଚାଷୀ! ସତ୍ୟବାଦୀ ଅଂଚଳରେ ଦଲାଲ-ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ଅଭିଯୋଗ

34

କନକ ବ୍ୟୁରୋ : ନଡିଆର ଅଭାବୀ ବିକ୍ରି ନେଇ ଚିନ୍ତାରେ ଚାଷୀକୁଳ । ପୁରୀ ଜିଲ୍ଲା ସତ୍ୟବାଦୀ ଅଂଚଳରେ ଦେଖାଦେଇଛି ଏପରି ପରିସ୍ଥିତି । ଦଲାଲ ଓ ବେପାରୀଙ୍କ ଶୋଷଣର ଶିକାର ହୋଇ ଏବେ ମନ ବଳାଉଛନ୍ତି ଚାଷ ଛାଡିଦେବାକୁ । ଆଉ ନଡିଆ ଚାଷୀଙ୍କ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବାର ଧମକ ଦେଇଛି ନୀଳାଚଳ କୃଷକ ସଙ୍ଗଠନ ।

ପୁରୀ ଜିଲ୍ଲା ସତ୍ୟବାଦୀ ନିୟନ୍ତ୍ରିତ ବଜାର କମିଟି ପରିସରର ପ୍ରତିଦିନ ଶହ ଶହ ନଡିଆ ଚାଷୀ ବିକ୍ରି କରିଥାନ୍ତି ସେମାନଙ୍କର ନଡିଆ । ଜିଲ୍ଲାର ପ୍ରାୟ ୧୧ଟି ବ୍ଲକର ନଡିଆ ଚାଷୀ ନିର୍ଭର କରିଥାନ୍ତି ଏହି ନିୟନ୍ତ୍ରିତ ବଜାର କମିଟି ଉପରେ । ହେଲେ ଏବେ ଚାଷୀଙ୍କୁ ମିଳୁନି ନଡିଆର ଉଚିତ ମୂଲ୍ୟ । କାରଣ ବେପାରୀମାନେ ମନଇଚ୍ଛା ଦର କାଟ୍ କରୁଛନ୍ତି । ଫଳରେ ଦଲାଲ ଓ ବେପାରୀଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ନଡିଆ ଚାଷୀ ।

ସରକାରଙ୍କ ଠାରୁ ମାଗଣାରେ ଜାଗା ପାଇଥିବା ବଡ ବ୍ୟବସାୟୀ ମାନେ ଅନେକ ସମୟରେ ସ୍ଥାନୀୟ ଚାଷୀଙ୍କ ଠାରୁ ନଡିଆ ନକିଣି ବାହାର ରାଜ୍ୟରୁ ଆଣୁଛନ୍ତି । ଆଉ ସ୍ଥାନୀୟ ବେପାରୀଙ୍କୁ କମ୍ ଦାମରେ ନଡିଆ ଦେଉଥିବାରୁ ସ୍ଥାନୀୟ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ତେବେ ଏ ନେଇ ନଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ୨୦ ଟଙ୍କା କରିବାକୁ ଅନୁରୋଧ କରିଥିବା କହିଛନ୍ତି ଭାରତୀୟ ନାରିକେଳ ବୋର୍ଡର ସଦସ୍ୟ । ଏହା ସହ ଦଲାଲମାନଙ୍କୁ ନଡିଆ ନବିକି ସିଧାସଳଖ ନିୟନ୍ତ୍ରିତ ବଜାରରେ ବିକ୍ରି କରିବାକୁ ଚାଷୀଙ୍କୁ ସେ ଅନୁରୋଧ କରିଛନ୍ତି । ନଡିଆର ନିର୍ଦ୍ଧିଷ୍ଟ ମୂଲ୍ୟ ଧାର୍ଯ୍ୟ କରୁନଥିବାରୁ ଶୋଷଣର ଶିକାର ହେଉଛନ୍ତି ଚାଷୀ । ତେଣୁ ନଡିଆ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।